ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ ଘରୋଇ ଦରବୃଦ୍ଧି ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଇଛି। ଦେଶରେ ଅନିୟନ୍ତ୍ରିତ ରପ୍ତାନି କାରଣରୁ ଗହମର ସ୍ଥାନୀୟ ଦରରେ ବୃଦ୍ଧି ଘଟିଛି। ତେଣୁ ଗହମର ଅନିୟନ୍ତ୍ରିତ ରପ୍ତାନି ଏବଂ ଜମାଖୋର ଉପରେ ଲଗାମ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରୀ ସୂଚନାରୁ ଜଣାଯାଇଛି। ଏହି ପ୍ରତିବନ୍ଧକ ସ୍ଥାୟୀ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ୧କୋଟି ଟନ୍ ଗହମ ରପ୍ତାନି ଲକ୍ଷ୍ୟ ରଖାଯାଇଥିଲା। ତେବେ କେତେକ ପରିସ୍ଥିତି ଉପରେ ନଜର ରଖି ସରକାରଙ୍କ ପକ୍ଷରୁ ରପ୍ତାନି ଅନୁମତି ଦିଆଯିବ ବୋଲି ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଫରେନ୍ ଟ୍ରେଡ୍ (ଡିଜିଏଫ୍ଟି) ପକ୍ଷରୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। କୌଣସି ଦେଶରେ ଖାଦ୍ୟ ସୁୁରକ୍ଷାର ଆବଶ୍ୟକତା ଅନୁସାରେ ସରକାର ଗହମ ରପ୍ତାନିକୁ ଅନୁମତି ଦେଇପାରିବେ। ତେବେ ଏଥିପାଇଁ ଉକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଅନୁମତି ଆବେଦନ କରିପାରିବେ। ଏହାଛଡ଼ା ଯେଉଁମାନଙ୍କର ଶିପ୍ମେଣ୍ଟ ପାଇଁ ଲେଟର୍ସ ଅଫ୍ କ୍ରେଡିଟ୍ (ଏଲ୍ଓସି) ପୂର୍ବରୁ ଜାରି ହୋଇସାରିଛି ସେମାନେ ମଧ୍ୟ ଗହମ ରପ୍ତାନି କରିପାରିବେ ବୋଲି ଡିଜିଏଫ୍ଟି ପକ୍ଷରୁ କୁହାଯାଇଛି। ଋଷ୍-ୟୁକ୍ରେନ୍ ଯୁଦ୍ଧ କାରଣରୁ ବୈଶ୍ୱିକ କୃଷି ବଜାର ଚାପରେ ଥିବା ସମୟରେ ଭାରତର ଏହି ନିଷ୍ପତ୍ତିକୁ ସାତ ଉଦ୍ୟୋଗୀକୃତ ଦେଶ ସମୁହ (ଜି-୭) ପକ୍ଷରୁ ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୨୧-୨୨ରେ ଭାରତରୁ ୨୦୫ କୋଟି ଡଲାର (୧୫.୯ ହଜାର କୋଟି ଟଙ୍କା)ର ୭୦ ଲକ୍ଷ ଟନ୍ ଗହମ ରପ୍ତାନି କରାଯାଇଛି। ଗତ ଆର୍ଥିକ ବର୍ଷରେ ରପ୍ତାନି ହୋଇଥିବା ମୋଟ୍ ଗହମ ମଧ୍ୟରୁ ୫୦% ବାଂଲାଦେଶକୁ ପଠାଯାଇଛି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୯.୬୩ ଲକ୍ଷ ଟନ୍ ଗହମ ପଠାଯାଇସାରିଛି। ଗତ ଆର୍ଥିକ ବର୍ଷରେ ଉକ୍ତ ଅବଧି ମଧ୍ୟରେ ୧.୩୦ ଲକ୍ଷ ଟନ୍ ଗହମ ରପ୍ତାନି ହୋଇଥିଲା।