Categories: ଜାତୀୟ

ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ମିଳିବ ରେଷ୍ଟରୁମ୍‌ ବିରତି

ନୂଆଦିଲ୍ଲୀ,୧୪ା୬:ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ଛାତ୍ରୀମାନଙ୍କୁ ରେଷ୍ଟରୁମ୍‌ ବିରତି ମିଳିବ। ଏଥିସହିତ ସେମାନଙ୍କ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ମାଗଣାରେ ସାନିଟାରୀ ନାପ୍‌କିନ ଉପଲବ୍ଧ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଆଡଭାଇଜରିରେ ବିଦ୍ୟାଳୟଗୁଡ଼ିକୁ ଏଭଳି ପରାମର୍ଶ ଦିଆଯାଇଛି। ଛାତ୍ରୀମାନଙ୍କ ଋତୁଶ୍ରାବକାଳୀନ ସ୍ବାସ୍ଥ୍ୟ ପରିଚାଳନା ସେମାନଙ୍କ ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ସମୟରେ ଏହା ବାଧକ ହେବା ଉଚିତ ନୁହେଁ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍କୁଲ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ), କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌) ଏବଂ ନବୋଦୟ ବିଦ୍ୟାଳୟ ସମିତି (ଏନ୍‌ଭିଏସ୍‌) ପାଇଁ ଏହି ଆଡଭାଇଜରି ଜାରି ହୋଇଛି। ଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କ ମଧ୍ୟରେ ଋତୁଶ୍ରାବକାଳୀନ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ବଢ଼ାଇବା ପାଇଁ ଶୈକ୍ଷିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ। ଋତୁଶ୍ରାବକୁ ନେଇ ସମାଜରେ ରହିଥିବା ନକାରାତ୍ମକ ତଥା ଅନୁଚିତ ଧାରଣାକୁ ଦୂର କରି ଅଧିକ ବୋଧଗମ୍ୟ ବିଦ୍ୟାଳୟ ପରିବେଶ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଋତୁଶ୍ରାବ ଜନିତ ସମସ୍ୟା ବେଳେ ଛାତ୍ରୀମାନଙ୍କ ପ୍ରତି ମର୍ଯ୍ୟାଦାର ସହ ବ୍ୟବହାର କରିବା ଏବଂ ସେମାନେ ଯେପରି ଆତ୍ମବିଶ୍ୱାସର ସହ ପରୀକ୍ଷାରେ ଭାଗନେଇ ନିଜର ଶିକ୍ଷାଗତ ସାମର୍ଥ୍ୟ ହାସଲ କରିବେ, ତାହା ଉପରେ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି।

Share