Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ଫଳାଫଳ

ଭୁବନେଶ୍ୱର,୪।୫: ଟାଟା ଷ୍ଟିଲ୍‌ ପକ୍ଷରୁ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷ ଏବଂ ୪ର୍ଥ ତ୍ରୈମାସିକର ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଅସ୍ଥିର ପରିଚାଳନା ପରିବେଶ ସତ୍ତ୍ୱେ ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ବ ୨,୪୩,୩୫୩ କୋଟି ଟଙ୍କା ରହିଛି, ଯାହା ଗତ ବର୍ଷର ରାଜସ୍ବ ସ୍ତର ସହ ପ୍ରାୟ ସମାନ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏହି ସମୟ ମଧ୍ୟରେ କମ୍ପାନୀର ଟିକସ ପରବର୍ତ୍ତୀ ଲାଭ ୮,୦୭୫ କୋଟି ଟଙ୍କା ହୋଇଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ କମ୍ପାନୀର ରାଜସ୍ବ ୬୨,୯୬୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭,୨୨୫ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍‌ ୧୧% ରହିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ଅଶୋଧିତ ଇସ୍ପାତ ଉପତ୍ାଦନ ଭାରତରେ ୧୯.୯ ନିୟୁତ ଟନ୍‌ ରହିଛି, ଯାହା ଟାଟା ଷ୍ଟିଲ୍‌ର ମୋଟ ଉପତ୍ାଦନର ୬୫% ବୋଲି କୁହାଯାଉଛି। ଏପରିକି ଦେଶ ଭିତରେ ଡେଲିଭରି ୧୧% ବଢ଼ିଥିବା ବେଳେ ତ୍ରୈମାସିକ ଡେଲିଭରି ୯% ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‌ ହୋଇଛି। ଅପରପକ୍ଷରେ ଟାଟା ଷ୍ଟିଲ୍‌ର ନିର୍ଦ୍ଦେଶକ ବୋର୍ଡ, ଫୁଲି ପେଡ୍‌ ଅପ୍‌ ଇକ୍ୱିଟି ଶେୟାର ପିଛା ୩.୬ ଟଙ୍କାର ଲାଭାଂଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି. ଭି. ନରେନ୍ଦ୍ରନ୍‌ କହିଛନ୍ତି, ୨୦୩୦ ସୁଦ୍ଧା ୪୦ ନିୟୁତ ଟନ୍‌ କ୍ଷମତା ଲାଗି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ଭାରତର ବିଭିନ୍ନ ସ୍ଥାନରେ ଆମର ଏକାଧିକ ପ୍ରକଳ୍ପ ଜାରି ରହିଛି। ଟାଟା ଷ୍ଟିଲ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌଶିକ ଚାଟାର୍ଜୀ କହିଛନ୍ତି, ଆର୍ଥିକ ବର୍ଷ ପାଇଁ ଆମର ରାଜସ୍ବ ୩୦ ବିଲିଅନ୍‌ ଡଲାର ହୋଇଛି। ଅସ୍ଥିର ପରିଚାଳନା ପରିବେଶ ସତ୍ତ୍ୱେ ବାର୍ଷିକ ଭିତରେ ରାଜସ୍ବ ସ୍ଥିର ରହିଛି।

Share