ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ୫ ପ୍ରତିଶତ ଅତିକ୍ରମ କରିଛି। ଜୁନ୍ ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତ ହୋଇଛି ଯାହା ମେ ୨୦୨୪ ରେ ୪.୮୦ ପ୍ରତିଶତ ଥିଲା। ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି ଏବଂ ଏହା ୯ ପ୍ରତିଶତ ଅତିକ୍ରମ କରିଛି। ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୩୬ ପ୍ରତିଶତ ହୋଇଛି, ଯାହା ମେ ମାସରେ ୮.୮୩ ପ୍ରତିଶତ ଥିଲା ।
ପରିସଂଖ୍ୟାନ ମନ୍ତ୍ରଣାଳୟ ଜୁନ୍ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ସମ୍ପର୍କିତ ତଥ୍ୟ ପ୍ରକାଶ କରିଥିବାବେଳେ ଏଥିରୁ ଏହି ସୂଚନା ମିଳିଛି। ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତ ହୋଇଛି। ୧ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୭ ପ୍ରତିଶତ ଥିଲା। ୨୦୨୩ ଜୁନ୍ରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତ ଥିଲା।
ଦେଶର ଅଧିକାଂଶ ରାଜ୍ୟ ବର୍ଷାରେ ଅନିୟମିତତା ହେତୁ ପନିପରିବା ମୂଲ୍ୟରେ ବୃଦ୍ଧି ଘଟିଛିି। ପନିପରିବାର ମୁଦ୍ରାସ୍ଫୀତି ହାର ଜୁନ୍ ମାସରେ ୨୯.୩୨ ପ୍ରତିଶତ ଥିଲା, ଯାହା ମେ ମାସରେ ୨୭.୩୩ ପ୍ରତିଶତ ଥିଲା। ଡାଲିର ମୁଦ୍ରାସ୍ଫୀତି ହାର ଜୁନ୍ ମାସରେ ୧୬.୦୭ ପ୍ରତିଶତ ରହିଛି ଯାହା ମେ ମାସରେ ୧୭.୧୪ ପ୍ରତିଶତ ଥିଲା । ଜୁନ୍ରେ ଡାଲିର ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ଘଟିଛି। ଫଳର ମୁଦ୍ରାସ୍ଫୀତି ହାର ଜୁନ୍ରେ ୭.୧ ପ୍ରତିଶତ ରହିଛି ଯାହା ମେ ମାସରେ ୬.୬୮ ପ୍ରତିଶତ ଥିଲା। ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୭୫ ପ୍ରତିଶତ ହୋଇଛି ଯାହା ମେ ମାସରେ ୮.୬୯ ପ୍ରତିଶତ ଥିଲା। ଚିନିର ମୁଦ୍ରାସ୍ଫୀତି ହାର ୫.୮୩ ପ୍ରତିଶତ ହୋଇଛି ଯାହା ମେ ମାସରେ ୫.୭୦ ପ୍ରତିଶତ ଥିଲା। ଅଣ୍ଡାର ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି ଏବଂ ଏହା ୩.୯୯ ପ୍ରତିଶତ ରହିଛି। ଏହା ମେ ମାସରେ ୭.୬୨ ପ୍ରତିଶତ ଥିଲା।
ଖୁଚୁରା ମୁଦ୍ରାସ୍ଫୀତିର ବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ଏକ ବଡ଼ ଝଟକା ଦେଇଛି। ଆର୍ବିଆଇ ଏହାକୁ ୪ ପ୍ରତିଶତକୁ ଆଣିବାକୁ ଚେଷ୍ଟା କରିଥିଲା। ମାତ୍ର ତଥ୍ୟ ସମ୍ପୂର୍ଣ୍ଣ ବିପରୀତ ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରୁ ଅଧିକ ହୋଇଯାଇଛି। ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସୁଧ ହାର ହ୍ରାସ କରିବା ବିଷୟରେ ମତ ରଖିବା ଠିକ୍ ହେବ ନାହିଁ ବୋଲି ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର କହିଥିଲେ। ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ଗଭର୍ନର ଦାସଙ୍କ ଏପରି ମତ ପରେ ନିକଟ ଭବିଷ୍ୟତରେ ସୁଧ ହାରରେ କୌଣସି ହ୍ରାସ ହେବ ନାହିଁ ସ୍ପଷ୍ଟ ହୋଇଛି।