Categories: ବାଣିଜ୍ୟ

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%

ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚସ୍ତର ୭.୪୪%କୁ ଛୁଇଁଥିଲା ବୋଲି ଗୁରୁବାର ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌ (ଏନ୍‌ଏସ୍‌ଓ) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ବିଶେଷକରି ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ଯୋଗୁ ୨୦୨୩ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖାଯାଇଛି ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ତେବେ ୨୦୨୩ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ଟଲରାନ୍ସ ବ୍ୟାଣ୍ଡ୍‌ର ଅପର ଲେଭଲ ୬% ରୁ ବର୍ତ୍ତମାନ ତଳକୁ ଆସିଛି।
ଅପରପକ୍ଷରେ ପରିସଂଖ୍ୟାନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୨୩ ସେପ୍ଟେମ୍ବରରେ ଦେଶର ଖାଦ୍ୟ ମୁଦ୍ରାସ୍ଫୀତିରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ଫଳରେ ଏହି ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୬.୫୬%କୁ ଖସିଛି, ଯାହା ୨୦୨୩ ଅଗଷ୍ଟରେ ୯.୯୪%ରେ ପହଞ୍ଚତ୍ଥିଲା। ତେବେ ଦେଶର ଗ୍ରାମାଞ୍ଚଳରେ ମୂଲ୍ୟ ବୃଦ୍ଧି ବର୍ତ୍ତମାନ ସମୟରେ ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୩୩% ଗ୍ରାମାଞ୍ଚଳରେ ରହିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୬.୬୫%ରେ ରହିଛି। ସେହିଭଳି ୨୦୨୩ ସେପ୍ଟେମ୍ବରରେ ପନିପରିବା ମୁଦ୍ରାସ୍ଫୀତି ହ୍ରାସ ହୋଇ ୩.୩୯% ରହିଥିବାବେଳେ ଅଗଷ୍ଟରେ ୨୬.୧୪%ରେ ପହଞ୍ଚିଥିଲା। ଏପରିକି ୨୦୨୩ ସେପ୍ଟେମ୍ବରରେ ଡାଲି ମୁଦ୍ରାସ୍ଫୀତି ହାର ବଢ଼ି ୧୬.୩୮%ରେ ପହଞ୍ଚତ୍ଛି, ଯାହା ୨୦୨୩ ଅଗଷ୍ଟରେ ୧୩.୦୪%ରେ ସୀମିତ ଥିଲା। ସେହିପରି ମସଲା ମୁଦ୍ରାସ୍ଫୀତି ୨୩.୬% ରେ ରହିଥିଲାବେଳେ ୨୦୨୩ ଅଗଷ୍ଟରେ ମସଲା ମୁଦ୍ରାସ୍ଫୀତି ହାର ୨୩.୧୯% ଥିଲା। ଅପରପକ୍ଷରେ ଦୁଗ୍ଧ ଜାତୀୟ ଉତ୍ପାଦର ମୁଦ୍ରାସ୍ଫୀତି ହାର ୬.୮୯%କୁ ଖସିଛି, ଯାହା ଅଗଷ୍ଟରେ ୭.୭୩% ଥିଲା। ବିଶେଷକରି ସେପ୍ଟେମ୍ବରରେ ଖାଦ୍ୟଶସ୍ୟ ଓ ତତ୍‌ସମ୍ପର୍କିତ ଉତ୍ପାଦର ମୁଦ୍ରାସ୍ଫୀତି ୧୦.୯୫%କୁ ଖସିଥିଲା ବେଳେ ୨୦୨୩ ଅଗଷ୍ଟରେ ଏହାର ହାର ୧୧.୮୫%କୁ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ଶିଳ୍ପ ଅଭିବୃଦ୍ଧି ୧୦.୩% କୁ ବୃଦ୍ଧି ଘଟିଥିଲାବେଳେ ଅଗଷ୍ଟ ଏବଂ ଜୁଲାଇରେ କମ୍‌ ରହିଥିଲା।

Share