Categories: ବାଣିଜ୍ୟ

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୬.୮୩%

ଭୁବନେଶ୍ୱର,୧୩।୯ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୮୩%କୁ ଖସି ଆସିଛି ବୋଲି ମଙ୍ଗଳବାର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୩ ଜୁଲାଇରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪%ରେ ରହିଥିଲା। ବିଶେଷକରି ଘରୋଇ ବଜାରରେ ଗତ କିଛି ସପ୍ତାହ ହେଲା ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହ୍ରାସ ପାଇବାରୁ ଖୁଚୁରା ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଅଗଷ୍ଟରେ ସାମାନ୍ୟ ହ୍ରାସ ଘଟିଛି ବୋଲି କୁହାଯାଉଛି। ସେହିଭଳି ଚଳିତ ବର୍ଷ ଅଗଷ୍ଟରେ ଦେଶର ଖାଦ୍ୟ ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ୯.୯୪% ରହିଥିଲାବେଳେ ୨୦୨୩ ଜୁଲାଇରେ ତାହା ୧୧.୫୧% ଥିଲା। ଅପରପକ୍ଷରେ ଗ୍ରାମାଞ୍ଚଳରେ ଦରବୃଦ୍ଧି ହାର ୭.୬୩% ରୁ ଖସି ୭.୦୨% ଏବଂ ସହରାଞ୍ଚଳରେ ଦରବୃଦ୍ଧି ୭.୨୦% ରୁ ଖସି ୬.୫୯% ରେ ରହିଛି। ସେହିପରି ସିପିଆଇ କୋର୍‌ ମୁଦ୍ରାସ୍ଫୀତି ୨୦୨୩ ଅଗଷ୍ଟରେ ୪.୦୮%ରେ ରହିଥିେବେଳେ ୨୦୨୩ ଜୁଲାଇରେ ଏହାର ପରିମାଣ ୪.୦୯%ରେ ରହିଥିଲା। ଉଲ୍ଲେଖଯୋଗ୍ୟ, ବିଗତ ୧୫ ମାସର ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦର ବୃଦ୍ଧିକୁ ଘଟଣାକୁ ଗୁରୁତର ସହ ବିଚାର କରୁଛି। ଏପରିକି ଆରବିଆଇ ଦର ବୃଦ୍ଧିକୁ ୪% କୁ ଆଣିବା ପାଇଁ ବ୍ୟାପକ ଯୋଜନା କରୁଛି। ନିକଟରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ,ଦେଶର ପନିପରିବା ଦର ହ୍ରାସ ପାଉଥିବାରୁ ମୁଦ୍ରାସ୍ଫୀତି କମ୍‌ କରିବାରେ ଏହା ବେଶ୍‌ ସହାୟକ ହେବ। ସୂଚନାଯୋଗ୍ୟ, ଆର୍‌ବିଆଇ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪ % ରହିବା ନେଇ ପୂର୍ବାନୁମାନ କରିଛି।

Share