ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ବରେ ୬.୯୩% ସ୍ତରକୁ ଖସିଛି। ଖାଦ୍ୟ ସାମଗ୍ରୀ ଦର କମିବାରୁ ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ ହୋଇଛି। ହେଲେ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ଊର୍ଦ୍ଧ୍ୱରେ ରହିଥିବା ଜଣାପଡିଛି। ଅକ୍ଟୋବର ମାସରେ ଖାଉଟି ମୂଲ୍ୟସୂଚୀ (ସିପିଆଇ)ଭିତ୍ତିକ ମୁଦ୍ରାସ୍ଫୀତି ୭.୬୧% ସ୍ତରରେ ରହିଥିଲା। ସରକାର ସୋମବାର ଜାରି କରିଥିବା ସିପିଆଇ ଡାଟା ମୁତାବକ ଖାଦ୍ୟ ସାମଗ୍ରୀ ବାସ୍କେଟରେ ମୁଦ୍ରାସ୍ଫୀତି ନଭେମ୍ବର ମାସରେ ୯.୪୩% ସ୍ତରରେ ରହିଛି। ଅକ୍ଟୋବର ତୁଳନାରେ ଏହା ୧୧% ନିମ୍ନକୁ ଖସିଛି। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଏହାର ରେପୋ ହ୍ରାସ କରିବା ବେଳେ ଖୁଚୁରା ମୁଦ୍ରାସ୍ଫୀତିକୁ ବିଚାରକୁ ନେଇଥାଏ। ଦରଦାମ ଉଚ୍ଚରେ ରହିବା ଯୋଗୁ ଗତ ମାସରେ ରିଜର୍ଭ ବ୍ୟାଙ୍କ ରେପୋକୁ ଅପରିବର୍ତ୍ତିତ ରଖିଥିଲା।