Categories: ବାଣିଜ୍ୟ

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପହଞ୍ଚତ୍ଛି। ୨୦୨୪ ସେପ୍ଟେମ୍ବର ପାଇଁ ପ୍ରକାଶିତ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ ଇଣ୍ଡେକ୍ସ) ଅନୁଯାୟୀ, ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫% ଅତିକ୍ରମକରି ୫.୪୯%ରେ ପହଞ୍ଚିଛି। ତେବେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୬୫% ଥିବାବେଳେ ଜୁଲାଇରେ ୩.୫୪ ପ୍ରତିଶତ ଥିଲା। ଏହି କ୍ରମରେ ଖୁଚୁରା ମୁଦ୍ରାସ୍ଫୀତି ଆର୍‌ବିଆଇର ଟଲରାନ୍ସ ବ୍ୟାଣ୍ଡକୁ ୪% ଅତିକ୍ରମ କରିଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୮୭% ଏବଂ ସହରାଞ୍ଚଳରେ ଏହା ୫.୦୫% ରହିଛି। ମନ୍ତ୍ରଣାଳୟ କହିଛି, ହାଇ ବେସ୍‌ ଇଫେକ୍ଟ ଏବଂ ପାଗ ଯୋଗୁ ଏହା ଘଟିଛି। ସେପ୍ଟେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ହାରରେ ମଧ୍ୟ ବହୁତ ବୃଦ୍ଧି ଘଟି ଏହା ୯.୨୪ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୦୮ ପ୍ରତିଶତ ଏବଂ ସହରାଞ୍ଚଳରେ ଏହା ୯.୫୬ ପ୍ରତିଶତ ରହିଛି। ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୬୬% ଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ହୋଲ୍‌ସେଲ ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ ହୋଲ୍‌ସେଲ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ପନିପରିବା ମୁଦ୍ରାସ୍ଫୀତି ହାରରେ ବହୁ ବୃଦ୍ଧି ଘଟିଛି। ଅଗଷ୍ଟରେ ପନିପରିବାର ମୁଦ୍ରାସ୍ଫୀତି ହାର ୧୦.୭୧% ଥିଲା। ଏହା ସେପ୍ଟେମ୍ବରରେ ୩୫.୯୯% ରହିଛି। କ୍ଷୀର ଏବଂ ଏହାର ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ମଧ୍ୟ ବୃଦ୍ଧି ପାଇଛି ଏବଂ ଅଗଷ୍ଟରେ ଏହା ୨.୯୮% ଥିବାବେଳେ ସେପ୍ଟେମ୍ବରରେ ୩.୦୩% ରହିଛି। ଡାଲିର ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ ଅଗଷ୍ଟରେ ୧୩.୬୦% ତୁଳନାରେ ଏହା ୯.୮୧%କୁ ଖସି ଆସିଛି। ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇଛି ଏବଂ ସେପ୍ଟେମ୍ବରରେ ୬.୮୪% ରହିଛି ଯାହା ଅଗଷ୍ଟରେ ୭.୩୧% ଥିଲା। ଚିନିର ମୁଦ୍ରାସ୍ଫୀତି ହାର ୩.୪୬%କୁ ହ୍ରାସ ପାଇଛି । ସେହିପରି ଅଣ୍ଡାର ମୁଦ୍ରାସ୍ଫୀତି ହାର ୬.୩୧%କୁ ହ୍ରାସ ପାଇଛି। ମାଂସ ଏବଂ ମାଛର ମୁଦ୍ରାସ୍ଫୀତି ହାର ୨.୬୬% କୁ ଖସି ଆସିଛି।

Share