ନୂଆଦିଲ୍ଲୀ,୧୩ା୮: ଚଳିତ ବର୍ଷ ଜୁଲାଇର ଖୁଚୁରା ମୁଦ୍ରାସ୍ଫୀତି ହାର କିଛି ପରିମାଣରେ ହ୍ରାସ ପାଇଛି। ଫଳରେ ଗତ ମାସ ତୁଳନାରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ୬.୭୧% ରେ ରହିଛି। ଏପରିକି ଏହା ଗତ ୫ ମାସରେ ସବୁଠୁ କମ୍ ବୋଲି କୁହାଯାଉଛି। ଗତ ଜୁନ୍ ମାସରେ ଏହି ସଂଖ୍ୟା ୭.୦୧% ରହିଥିଲା। ଏହା ପୂର୍ବରୁ ଫେବୃୟାରୀରେ ମୁଦ୍ରାସ୍ଫୀତି ହାର ୬.୦୭% ଥିଲା ବୋଲି ଜଣାପଡ଼ିଛି। ସେହିଭଳି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ଜୁଲାଇରେ ଗ୍ରାହକଙ୍କ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ୬.୭୧% ରହିଛି। ଏହା ଜୁନ୍ ମାସରେ ୭.୦୧% ରହିଥିଲା। ସେହିପରି ଜୁଲାଇରେ ଗ୍ରାହକ ଖାଦ୍ୟ ମୂଲ୍ୟ ସୂଚକାଙ୍କ (ସିଏଫ୍ପିଆଇ) ୬.୭୫% ଥିଲା। ଏହା ଜୁନ୍ରେ ୭.୭୫% ରୁ ହ୍ରାସ ଘଟିଛି। ଉପ-ଗୋଷ୍ଠୀ ମୁଦ୍ରାସ୍ଫୀତି ମଧ୍ୟରେ ପନିପରିବା ପାଇଁ ୧୦.୯୦% ଥିଲା। ଏହା ଜୁନ୍ରେ ୧୭.୩୭% ରହିଥିଲା। ଖାଇବା ତେଲର ମୁଦ୍ରାସ୍ଫୀତି ହାର ୯.୩୬% ତୁଳନାରେ ୭.୫୨ % ଏବଂ ମାଂସ ଓ ମାଛର ହାର ୮.୬୧% ତୁଳନାରେ ୩% ପ୍ରତିଶତ ଥିଲା। ଇନ୍ଧନ ଏବଂ ଆଲୋକ ପାଇଁ ମୁଦ୍ରାସ୍ଫୀତି ୧୧.୭୬% ଥିଲା ଏହା ଜୁନ୍ରେ ୧୦.୩୯% ରହିଥିଲା। ଅପରପକ୍ଷରେ ପରିସଂଖ୍ୟାନ ଅନୁସାରେ ୨୦୨୧ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୫୯ % ରହିଥିଲା। ତେବେ ଏବେ ବି ଏହି ସଂଖ୍ୟା ଆର୍ବିଆଇର ଧାର୍ଯ୍ୟ ସୀମା ୬% ରୁ ଉପରେ ରହିଛି। ଏହା ଗତ ୭ ମାସ ଧରି ୬% ରୁ ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୦% ଉପରେ ରହିଥିଲା। ଏହା ପୂର୍ବରୁ ଜୁଲାଇରେ ଦରବୃଦ୍ଧି ହାର ୬.୬୫% ରହିପାରେ ବୋଲି ଅନୁମାନ କରାଯାଉଥିଲା। ଖାଦ୍ୟ ପଦାର୍ଥ ମୂଲ୍ୟରେ ହ୍ରାସ ଏବଂ ଇନ୍ଧନ ଉପରେ ଟିକସ କମ୍ କରାଯିବା ପରେ ଦରବୃଦ୍ଧି ହ୍ରାସ ହେବା ସଙ୍କେତ ମିଳିଥିଲା। ଲଗାତର ଚିନ୍ତାର କାରଣ ପାଲଟିଥିବା ଖୁଚୁରା ମୁଦ୍ରାସ୍ଫୀତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨% ହ୍ରାସ ହୋଇ ୫%ର ସ୍ତରରେ ପହଞ୍ଚିପାରେ। ଗତ ୩ ମାସରେ ସରକାର ଏବଂ ଆର୍ବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁ ଦରବୃଦ୍ଧିରେ ଆସାନ୍ୟ ଆଶ୍ୱସ୍ତି ମିଳିଛି।