ଭୁବନେଶ୍ୱର,୧୨ା୭(ଅନୁରାଧା ମହାରଣା): ଜୁନ୍ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ପ୍ରାୟ ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଗୁରୁବାର ଏକ ସାକ୍ଷାତ୍କାରରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଏପରି କହିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ସୁଧ ହାର ହ୍ରାସ କରିବା ବିଷୟରେ କଥା କହିବା ଠିକ୍ ହେବ ନାହିଁ। ଗଭର୍ନର ଦାସଙ୍କ ଏପରି ମତ ପରେ ନିକଟ ଭବିଷ୍ୟତରେ ସୁଧ ହାରରେ କୌଣସି ହ୍ରାସ ହେବ ନାହିଁ ବୋଲି ଆଶା କରାଯାଉଛି। ତେବେ ନ୍ୟୁଟ୍ରାଲ ମୁଦ୍ରାସ୍ଫୀତି ହାର ବିଷୟରେ ଆର୍ବିଆଇ ଚିନ୍ତା କରୁଥିବା ଦାସ କହିଛନ୍ତି।
ସୂଚନା ଥାଉକି, ଆର୍ବିଆଇର ଲଗାତର ବୈଠକ ସତ୍ତ୍ୱେ ସୁଧ ହାର ହ୍ରାସ ପାଇନାହିଁ। ଗତ ମାସରେ ଅନୁଷ୍ଠିତ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବୈଠକରେ କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ମୁଦ୍ରାନୀତି କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ସୁଧ ହାର ହ୍ରାସ କରିବାକୁ ସପକ୍ଷରେ ମତ ଦେଇଛନ୍ତି। ମାତ୍ର ଗଭର୍ନର ଶକ୍ତିକାନ୍ତଙ୍କ ମତାନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟ ହାସଲ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ। ରଏଟର୍ସ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଜୁନ୍ରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାମାନ୍ୟ ବୃଦ୍ଧି ପାଇ ୪.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମେ ମାସରେ ଏହି ହାର ୪.୭୫ ପ୍ରତିଶତ ଥିଲା। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାରର ସରକାରୀ ତଥ୍ୟ ଶୁକ୍ରବାର ପ୍ରକାଶ ପାଇବ।
ଶକ୍ତିକାନ୍ତ ଏହା ମଧ୍ୟ କହିଛନ୍ତି , ଦେଶର ବିକାଶର ଗତି ବଳବତ୍ତର ରହିଛି ଏବଂ ମାର୍ଚ୍ଚ ୨୦୨୫ରେ ଶେଷ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବ। କେବଳ ଏତିକି ନୁହେଁ, ସେ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥା ୮ ପ୍ରତିଶତ ଅଭିବୃଦ୍ଧି ହାର ଆଡ଼କୁ ଗତି କରୁଛି ଏବଂ ଦେଶର ଆର୍ଥିକ ଭବିଷ୍ୟତକୁ ନେଇ ସେ ଅତ୍ୟନ୍ତ ଆଶାବାଦୀ। ଶକ୍ତିକାନ୍ତ କହିଛନ୍ତି , ରିଜର୍ଭ ବ୍ୟାଙ୍କ ଏକ ନ୍ୟୁଟ୍ରାଲ ସୁଧ ହାର ଉପରେ ତର୍ଜମା କରୁଛି। ଆର୍ବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାର ଲକ୍ଷ୍ୟ ହାସଲ କରିବ ଏବଂ ଦେଶର ଅଭିବୃଦ୍ଧି ହାର ସର୍ବୋଚ୍ଚ ସ୍ତରରେ ରହିବ ସେତେବେଳେ। ଏହି ନିରପେକ୍ଷ ସୁଧ ହାରକୁ ନେଇ ଆର୍ବିଆଇର ଆକଳନ ଆସନ୍ତା ମାସେ କିମ୍ବା ୨ ମାସ ମଧ୍ୟରେ ପ୍ରକାଶ ପାଇବ ବୋଲି ଶକ୍ତିକାନ୍ତ କହିଛନ୍ତି ।