ଗଚ୍ଛିତ ଚାଉଳକୁ ନେଇ ଅଡୁଆରେ ରିଟେଲର

ଚଣ୍ଡିଖୋଲ,୨୬।୪ (ଡି.ଏନ୍‌.ଏ.): କେନ୍ଦ୍ର ସରକାର ଗତ ଜାନୁୟାରୀରୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବା ପରେ ଚାଉଳ ଯୋଗାଣ ନିୟମ କଡ଼ାକଡ଼ି କରିଛନ୍ତି। ଏଥିନେଇ ଗତ ୧୯ତାରିଖରେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ବିଭାଗ ଅତିରିକ୍ତ ସଚିବ ନେତ୍ରମଣି ପଣ୍ଡା ପତ୍ର ସଂଖ୍ୟା ୬୬୯୧ରେ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଏପ୍ରିଲ, ମେ’ ଓ ଜୁନ୍‌ ମାସର ଚାଉଳ ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରିଟେଲରଙ୍କ ନିକଟରେ ବଳକା ଥିବା ଚାଉଳକୁ ହିସାବ କରି ଯୋଗାଣ କରିବାକୁ ସୂଚନା ଦେଇଛନ୍ତି, ଯାହାକୁ ନେଇ ରିଟେଲରମାନେ ଅଡୁଆରେ ପଡ଼ିଛନ୍ତି।
ଅନ୍‌ଲାଇନ୍‌ ଯୋଗେ ପିଏସ୍‌ଓ ମେଶିନ୍‌ ମାଧ୍ୟମରେ ହିତାଧିକାରୀଙ୍କୁ ଚାଉଳ ଦେବାକୁ ନିର୍ଦ୍ଦେଶ ପରେ ଏହି ସର୍ଭରରୁ ଜଣାପଡ଼ିଛି କେଉଁକେଉଁ ରିଟେଲରଙ୍କ ନିକଟରେ କେତେ ଚାଉଳ ଗଚ୍ଛିତ ଅଛି। ସରକାରୀ ହିସାବ ଅନୁଯାୟୀ ବଡ଼ଚଣା ବ୍ଲକରେ ୭୭ ରିଟେଲରଙ୍କ ନିକଟରେ ୧୦୪୭ କୁଇଣ୍ଟାଲ ଚାଉଳ ଗଚ୍ଛିତ ରହିଛି। ସେଥିମଧ୍ୟରୁ ସୁରେନ୍ଦ୍ର ନାୟକ ନାମକ ରିଟେଲରଙ୍କ ନିକଟରେ ୧୨୫ କୁଇଣ୍ଟାଲ ଚାଉଳ ଗଚ୍ଛିତ ଥିବାବେଳେ ବିଜୟ ସାରଥି ପଣ୍ଡାଙ୍କ ନିକଟରେ ୧୩୪ କୁଇଣ୍ଟାଲ ଚାଉଳ ରହିଛି। ସେହିଭଳି ଦିଲୀପ ଜେନାଙ୍କ ନିକଟରେ ୩୨ କୁଇଣ୍ଟାଲରୁ ଅଧିକ, ଅଜୟ ଦାସଙ୍କ ନିକଟରେ ୨୮ କୁଇଣ୍ଟାଲ ଓ କୈଳାସ ଚନ୍ଦ୍ର ମଲ୍ଲିକଙ୍କ ନିକଟରେ ୪୧ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ଅଛି। ଅନ୍ୟମାନଙ୍କ ନିକଟରେ ୮ କୁଇଣ୍ଟାଲରୁ ୨୦ କୁଇଣ୍ଟାଲ ଭଳି ଚାଉଳ ଗଚ୍ଛିତ ଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି।
ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ତ୍ୟୋଦୋୟ ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ସାମିଲ ଅଛନ୍ତି। କେବଳ ବଡ଼ଚଣା ବ୍ଲକ୍‌ରେ ୬୪୬ କୁଇଣ୍ଟାଲ ୧ କିଲୋ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଚାଉଳ ରହିଥିବାବେଳେ ଅନ୍ତ୍ୟୋଦୋୟ ଯୋଜନାରେ ୨୫୨ କୁଇଣ୍ଟାଲ ୨୨ କେଜି, ରାଜ୍ୟ ସୁରକ୍ଷା ହିତାଧିକାରୀଙ୍କ ୧୧୦ କୁଇଣ୍ଟାଲ ଓ ଅନ୍ନପୂର୍ଣ୍ଣା ଯୋଜନାରେ ୩୮ କୁଇଣ୍ଟାଲ ୭୩ କେଜି ଚାଉଳ ଗଚ୍ଛିତ ରହିଛି। ତେବେ ଏହି ଚାଉଳ ରିଟେଲରଙ୍କ ପାଖରେ ନ ଥିବାବେଳେ ସରକାରଙ୍କ ରେକର୍ଡରେ ଗଚ୍ଛିତ ଥିବା ପ୍ରଦର୍ଶିତ ହୋଇଛି। ତେବେ କିପରି ସମସ୍ତ ଡିଲରଙ୍କ ପାଖରେ ଚାଉଳ ନ ଥିବା ନେଇ କାଗଜପତ୍ର ହାସଲ କରାଯିବ କରିବେ ସେଥିନେଇ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବ୍ଲକରେ ୨ ଦଲାଲଙ୍କ ମାଧ୍ୟମରେ ଟଙ୍କା ଆଦାୟ ଚାଲିଥିବା ଜଣାପଡ଼ିଛି।
ସେହିଭଳି ଧାନମଣ୍ଡଳସ୍ଥିତ ଖାଦ୍ୟ ପଣ୍ୟାଗାରରୁ ନେଉଥିବା ବରୀ ବ୍ଲକରେ ୩,୯୭୫ କୁଇଣ୍ଟାଲ ୮୯ କେଜି, ଧର୍ମଶାଳାରେ ୨୨୦୯ କୁଇଣ୍ଟାଲ ୪୯ କେଜି ଗଚ୍ଛିତ ଥିବା ଦର୍ଶାଯାଇଛି। ରସୁଲପୁର ବ୍ଲକରେ ୮୦୭ କୁଇଣ୍ଟାଲ ୧୨ କେଜି ଚାଉଳ ଗଚ୍ଛିତ ଥିବା ଅତିରିକ୍ତ ସଚିବଙ୍କ ଚିଠିରୁ ଜଣାପଡ଼ିଛି। ସରକାରଙ୍କ ନିୟମ ମୁତାବକ ପ୍ରତ୍ୟେକ ୨ ଓ ୩ ମାସରେ ଥରେ ଲେଖାଏ ହିତାଧିକାରୀଙ୍କୁ ଚାଉଳ ଦେବାକୁ ଯୋଗାଣ ଠିକାଦାରଙ୍କ ମାଧ୍ୟମରେ ରିଟେଲରଙ୍କୁ ଦିଆଯାଇଥାଏ। ସେମାନେ ନେଇଥିବା ଚାଉଳକୁ ହିତାଧିକାରୀଙ୍କୁ ଦେଇସାରିବା ପରେ ପରବର୍ତ୍ତୀ ମାସ ପାଇଁ ଚାଉଳ ଗ୍ରହଣର ନିୟମ ରହିଛି। ତେବେ କିପରି ଏତେ ପରିମାଣର ଚାଉଳ ଠିକାଦାର ଓ ରିଟେଲରଙ୍କ ନିକଟରେ ଗଚ୍ଛିତ ରହୁଛି ତାହା ଆଶ୍ଚର୍ଯ୍ୟ ପ୍ରକଟ କରୁଛି। ଏ ସମ୍ପର୍କରେ ବଡ଼ଚଣା ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଚାଉଳ ଯୋଗାଣ ସମୟରେ ମେଶିନ୍‌ରେ କିଛି ତ୍ରୁଟି ଦେଖାଦେଇଛି। ତେବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗଚ୍ଛିତ ଥିବା ଚାଉଳକୁ ବାଦ୍‌ ଦେଇ ପରବର୍ତ୍ତୀ ଚାଉଳ ଦିଆଯିବ।