Categories: Uncategorized

ଅବସରପ୍ରାପ୍ତ କ୍ୟାସିୟରଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ତଥା ଅବସରପ୍ରାପ୍ତ କ୍ୟାସିୟର ତ୍ରିଲୋଚନ ନାଥଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ଅଦାଲତ ତାଙ୍କ ରାୟରେ ଆଦେଶ ଦେଇଛନ୍ତି।

ମାମଲା ରାୟର ବିବରଣୀରୁ ପ୍ରକାଶ ଯେ,ଅଭିଯୁକ୍ତ ନାଥ ଜଣେ ଅବସରପ୍ରାପ୍ତ ଏଏନ୍‌ଏମ୍‌ଙ୍କ ଏରିଅର୍‌ ଟଙ୍କା ମଞ୍ଜୁର ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଏନ୍‌ଏମ୍‌ ଜଣକ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୩୯/ତା୩୦/୯/୨୦୦୪ରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଏକ ମାମଲା ରୁଜୁ କରିଥିଲେ। ଯୋଜନା ଅନୁଯାୟୀ କ୍ୟାସିୟର ନାଥ ତାଙ୍କ ଠାରୁ ୧୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହିତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଥିଲେ। ଏହିପରି ମାମଲାରେ ତତ୍କାଳୀନ ରାଉରକେଲା ଭିଜିଲାନ୍ସ ଇନ୍ସପେକ୍ଟର ତ୍ରିନାଥ ପଟେଲ ମାମଲାରେ ତଦନ୍ତକାରୀ ଅଫିସର ଥିଲା ବେଳେ ସରକାରଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସ୍ୟୁକ୍ୟୁଟର ଗୌରମୋହନ ଦାସ ଏହି ମାମଲାଟକୁ ପରିଚାଳନା କରୁଥିଲେ।