ଅବସରପ୍ରାପ୍ତ ମୁଖ୍ୟ ଆୟକର ଆୟୁକ୍ତ ପ୍ରଦ୍ୟୋତ କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୧୪।୧୦(ବନ୍ଦନା ସେଠୀ): ଅବସରପ୍ରାପ୍ତ ମୁଖ୍ୟ ଆୟକର ଆୟୁକ୍ତ ତଥା ୧୯୭୦ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା ଅଧିକାରୀ ପ୍ରଦ୍ୟୋତ କୁମାର ମିଶ୍ରଙ୍କର ଦିଲ୍ଲୀଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ମିଶ୍ର ଜଣେ ଦକ୍ଷ, କର୍ତ୍ତବ୍ୟପରାୟଣ ଓ କର୍ମଚାରୀ ବତ୍ସଳ ଅଧିକାରୀ ଭାବରେ କୋଲକାତା, ଓଡ଼ିଶା ଓ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟ ନିର୍ବାହ କରିଥିଲେ। ଓଡ଼ିଶା ଆୟକର ବିଭାଗର ମୁଖ୍ୟ ଭାବରେ ସେ ବହୁ ପଦକ୍ଷେପ ନେଇଥିଲେ। ଆୟକର ବିଭାଗର ଭିଜିଲାନ୍ସ ନିର୍ଦ୍ଦେଶାଳୟ ମହାନିର୍ଦ୍ଦେଶକ ଭାବେ ଦିଲ୍ଲୀଠାରେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ। ଅବସର ପରେ ମଧ୍ୟ ଆୟକର ଓମ୍ବୁଡ୍‌ସମ୍ୟାନ ଭାବେ ସେ ଚଣ୍ଡୀଗଡ଼ଠାରେ ଅବସ୍ଥାପିତ ହୋଇଥିଲେ। ଛାତ୍ରାବସ୍ଥାରେ ଜଣେ ଦକ୍ଷ ହକି ଖେଳାଳି ଭାବେ ସେ ସୁନାମ ଅର୍ଜନ କରି ରାଜ୍ୟ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ମିନୁବାବୁ ନାମରେ ସେ ଅତ୍ୟନ୍ତ ଜନପ୍ରିୟ ଥିଲେ।
ସ୍ବର୍ଗତ ମିଶ୍ର ଶିକ୍ଷାବିତ୍‌ ତଥା ଅର୍ଥଶାସ୍ତ୍ର ବିଶାରଦ ଡ. ଦେବେନ୍ଦ୍ର ଚନ୍ଦ୍ର ମିଶ୍ରଙ୍କ ଜ୍ୟେଷ୍ଠପୁତ୍ର। ତାଙ୍କ ସ୍ତ୍ରୀ ଅଧ୍ୟାପିକା ସ୍ମିତା ମିଶ୍ର ଓଡ଼ିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ସ୍ବର୍ଗତ ନବକୁମାର ଦାଶଙ୍କ କନ୍ୟା। ଝିଅ ସୁଚିତା ଓ ଜ୍ବାଇଁ ଡ. ଡି. ଆର୍‌. ପଣ୍ଡା ଦିଲ୍ଲୀ ଆଇଆଇଟି ରେ କାର୍ଯ୍ୟରତ ଥିବାବେଳେ ପୁଅ ସଞ୍ଜିତ ଓ ବୋହୂ ଚାରୁ ସିଙ୍ଗାପୁରରେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ଅବସ୍ଥାପିତ। ମିଶ୍ରଙ୍କ ମୃତ୍ୟୁରେ ଓଡ଼ିଶା ଆୟକର ବିଭାଗରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

Share