Categories: ଜାତୀୟ

ଅବସରପ୍ରାପ୍ତ ଡିଆଇଜିଙ୍କୁ ୭ ବର୍ଷ ଜେଲ

ମୋହାଲି,୮ା୬: ୧୯୯୩ରେ ଘଟିଥିବା ଏକ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ପଞ୍ଜାବର ପୂର୍ବତନ ଡିଆଇଜି ଦିଲ୍‌ବାଗ ସିଂଙ୍କୁ ଶୁକ୍ରବାର ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାବେଳେ ପୂର୍ବତନ ଡିଏସ୍‌ପି ଗୁରବଚନ ସିଂଙ୍କୁ ଆଜୀବନ ଜେଲଦଣ୍ଡ ହୋଇଛି। ଗୁଲଶନ କୁମାର ନାମକ ଜଣେ ପରିବା ବିକ୍ରେତାଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଗୁରବଚନଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଆର୍‌.କେ. ଗୁପ୍ତା ଗୁରୁବାର ଦୋଷୀସାବ୍ୟସ୍ତ କରିଥିଲେ। ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ଦିଲ୍‌ବାଗ ଦୋଷୀସାବ୍ୟସ୍ତ ହୋଇଥିଲେ। ଅଭିଯୋଗ ଅନୁଯାୟୀ ୧୯୯୩ ଜୁନ୍‌ରେ ଡିଏସ୍‌ପି ଦିଲ୍‌ବାଗ ସିଂ ଏବଂ ଏସ୍‌ଏଚ୍‌ଓ ଗୁରବଚନ ସିଂଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଚମନ ଲାଲ୍‌, ତାଙ୍କ ପୁଅ ପର୍ଭିନ କୁମାର, ବବି କୁମାର ଏବଂ ଗୁଲ୍‌ଶନ କୁମାରଙ୍କୁ ସେମାନଙ୍କ ତରନ ତାରନସ୍ଥିତ ଘରୁ ଉଠାଇନେଇଥିଲେ। ଚମନଲାଲ୍‌ ଓ ତାଙ୍କ ଅନ୍ୟ ୨ ପୁଅଙ୍କ କିଛିଦିନ ପରେ ମୁକ୍ତ କରାଯାଇଥିବାବେଳେ ଗୁଲଶନଙ୍କୁ ହାଜତରେ ରଖାଯାଇଥିଲା। ଜୁନ୍‌ ୨୩ରେ ଗୁଲ୍‌ଶନଙ୍କୁ ଅନ୍ୟ ୩ ଜଣଙ୍କ ସହ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା। ସେମାନଙ୍କ ମୃତଦେହକୁ ପରିବାରକୁ ନ ଫେରାଇ ଦାବିଦାର ନ ଥିବା ଦର୍ଶାଇ ସତ୍କାର କରାଯାଇଥିଲା। ପରେ ମୃତ ଅନ୍ୟ ୩ ଜଣ କର୍ନେଲ, ଜର୍ନେଲ ଏବଂ ହରିଜିନ୍ଦର ସିଂ ବୋଲି ଜଣାପଡ଼ିଥିଲେ। ୧୯୯୫ରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ। ଡିଏସ୍‌ପି ଦିଲ୍‌ବାଗ, ଇନ୍ସପେକ୍ଟର ଗୁରବଚନ ଏବଂ ଏଏସ୍‌ଆଇ ଅର୍ଜୁନ ସିଂ, ଦାବିନ୍ଦର ସିଂ, ବଲବୀର ସିଂଙ୍କ ନାଁରେ ୧୯୯୯ରେ ଚାର୍ଜଶିଟ୍‌ ହୋଇଥିଲା। ବିଚାର ଚାଲିଥିବା ସମୟରେ ଅର୍ଜୁନ, ଦାବିନ୍ଦର ଏବଂ ବଲବୀରଙ୍କର ମୃତ୍ୟୁ ଘଟିଥିଲା।

Share