ରାଜନୀତିରେ ଅବସର ବୟସ

ଷ୍ଟାଲିନ୍‌ ମିଶ୍ର

 

ଆମ ସମାଜରେ ଆପଣ ଯେକୌଣସି ସରକାରୀ ଅବା ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଉପନୀତ ହେଲେ ଆପଣଙ୍କୁ ସେବାନିବୃତ୍ତି ନେବାକୁ ପଡିଥାଏ। କିନ୍ତୁ ରାଜନୀତି ଏକମାତ୍ର ବ୍ୟତିକ୍ରମ, ଯେଉଁଠି ମୃତ୍ୟୁ ଯାଏ ଜଣେ ଚାହିଁଲେ କ୍ଷମତା ଓ ସୁବିଧାସୁଯୋଗ ଉପଭୋଗ କରିପାରିବ। କିଛି ବିଜ୍ଞ ଲୋକଙ୍କ ମତରେ, ରାଜନୀତି ଏକ ଚାକିରି ବା ବୃତ୍ତି ନୁହେଁ ବରଂ ଏହା ଏକ ସେବା, ତେଣୁ ଅବସର ବୟସସୀମାର ଆବଶ୍ୟକତା ନାହିଁ। ସେମାନେ ଭୁଲ କି ଠିକ୍‌ ମୁଁ ତାହା କହିବାକୁ ଅସମର୍ଥ। କିନ୍ତୁ ମୋ ମତରେ ରାଜନୀତିରେ ଅବସର ବୟସ ସୀମା ନିହାତି ଜରୁରୀ। ଆସନ୍ତୁ ଆଜିର ଏହି ଆଲେଖ୍ୟ ମୋର ଏହି ଭିନ୍ନ ମତ ଉପରେ ବିସ୍ତାରରେ ଚର୍ଚ୍ଚା କରିବା।
ଜଣେ ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଦେଶର ସମ୍ବିଧାନ ତଥା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ନିଜସ୍ବ ନିର୍ଣ୍ଣୟ ନେବା କ୍ଷମତା ବହୁତ କ୍ଷୀଣ। ମୋଟାମୋଟି କହିବାକୁ ଗଲେ, ଜଣେ ଅଧିକାରୀ ଯେତେ ଜ୍ଞାନୀ ଗୁଣି ତଥା ଅଭିଜ୍ଞତାସମ୍ପନ୍ନ ହୋଇଥିଲେ ମଧ୍ୟ କେବଳ ଦେଶର ଆଇନକାନୁନକୁ କାର୍ଯ୍ୟକାରୀ କରିବା ଛଡା ତାଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥାଏ। ଭୁଲ କ’ଣ ଠିକ୍‌ କ’ଣ ଜାଣି ମଧ୍ୟ ସ୍ଥାନ ବିଶେଷରେ କେବଳ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେବାକୁ ଯାଇ ସେମାନେ ଅନ୍ୟାୟ କରିବାକୁ ବାଧ୍ୟ ହୋଇଥାନ୍ତି। କାରଣ ଜଣେ ଅଧିକାରୀ, ଅମଲା, ନ୍ୟାୟମୂର୍ତ୍ତି କିମ୍ବା ଜଣେ ସାଧାରଣ କର୍ମଚାରୀ ଆଇନର ପ୍ରଣେତା ନୁହନ୍ତି, ସେମାନେ କେବଳ ଜଣେ ଜଣେ ଆଇନର ପ୍ରୟୋଗକର୍ତ୍ତା। ଆଇନ ତିଆରି କରିବା ଲୋକ ହେଉଛନ୍ତି ଆମ ବିଧାୟକ ଓ ସାଂସଦମାନେ। ଯେଉଁମାନେ କେବଳ ଆଇନ ପାଳନ କରନ୍ତି ତାଙ୍କ ପାଇଁ ଅବସର ବୟସସୀମା, କିନ୍ତୁ ଯେଉଁମାନେ ଆଇନ ତିଆରି କରନ୍ତି ତାଙ୍କ ପାଇଁ କୌଣସି ଅବସର ବୟସସୀମା ନାହିଁ ଏହା ଅସଙ୍ଗତ ମନେହୁଏ। କାରଣ ଆଇନ ତିଆରି କରୁଥିବା ଲୋକର ମାନସିକ ତଥା ଶାରୀରିକ ସାମର୍ଥ୍ୟ ଆଇନ ପାଳନ କରୁଥିବା ଲୋକଙ୍କଠାରୁ ନିଶ୍ଚିତ ଭାବେ ଅଧିକ ହେବ ଜରୁରୀ। ଦେଶ ଚଳାଇବାକୁ, ନିୟମ ପ୍ରଣୟନ କରିବାକୁ, ଉଚିତ ନିର୍ଣ୍ଣୟ ନେବାକୁ ଜଣେ ବ୍ୟକ୍ତି ମାନସିକ ତଥା ଶାରୀରିକ ସ୍ତରରେ ସୁସ୍ଥ ହେବା ନିହାତି ଆବଶ୍ୟକ ଏବଂ ଜଣେ ବ୍ୟକ୍ତିର ବୟସ ତା’ର ମେଧାଶକ୍ତି, ମାନସିକ ସ୍ଥିତି ଓ ଶାରୀରିକ ସାମର୍ଥ୍ୟକୁ ନିୟନ୍ତ୍ରିତ କରିଥାଏ। ତେଣୁ ଆଇନ ପ୍ରଣେତାଙ୍କ ପାଇଁ ଅବସର ବୟସସୀମା ଜରୁରୀ ନୁହେଁ କି? ଆପଣମାନେ ଯଦି ଲକ୍ଷ କରିବେ ଜାଣିବାକୁ ପାଇବେ ଯେ ଆମ ଦେଶରେ ଅନେକ ରାଜନେତା ଶାରୀରିକ ତଥା ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇ ମଧ୍ୟ ମନ୍ତ୍ରୀ, ବିଧାୟକ, ସାଂସଦ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଆସୀନ ଥାନ୍ତି। ନା ସେମାନେ ଉଚିତ ନିର୍ଣ୍ଣୟ ନେବାକୁ ମାନସିକ ରୂପେ ସମର୍ଥ ଥାନ୍ତି ନା ଜନସାଧାରଣଙ୍କୁ ସେବା ଦେବା ପାଇଁ ତାଙ୍କ ଶରୀର ତାଙ୍କୁ ଅନୁମତି ଦେଇଥାଏ। ଏପରି ସ୍ଥିତିର ଗଭୀର କୁପ୍ରଭାବ ଆମ ସମାଜରେ ପଡିଥାଏ।
କେନ୍ଦ୍ରଠାରୁ ଆରମ୍ଭ କରି ଆମ ରାଜ୍ୟରେ ଏପରି ବୟୋବୃଦ୍ଧ ରାଜନୀତିଜ୍ଞମାନଙ୍କର ଧାଡି ବହୁତ ଲମ୍ବା। ରାଜମାତା ବିଜୟା ରାଜେ ସିନ୍ଧିଆ, ଡ. ମନମୋହନ ସିଂ, ପ୍ରମିଳା ବିଷୋୟୀ, ସାବିତ୍ରୀ ଅଗ୍ରୱାଲ, ଶରଦ ପାୱାର, ପ୍ରକାଶ ସିଂ ବାଦଲ, କରୁଣାନିଧି, ଭାଗବତ ବେହେରା ଏପରି ଅନେକ ଉଦାହରଣ ମିଳିବ ଯେଉଁମାନେ ବାର୍ଦ୍ଧକ୍ୟଜନିତ ଅସମର୍ଥତା ସତ୍ତ୍ୱେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଛନ୍ତି କିମ୍ବା ରହିଥିଲେ। ଭାରତୀୟ ରାଜନୀତି ବୟୋବୃଦ୍ଧମାନଙ୍କର କ୍ରୀଡ଼ାଭୂମି କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ମଧ୍ୟ କୁଶଳୀ, କର୍ମଠ ତଥା ପରାକ୍ରମୀ ଯୁବକମାନଙ୍କ ଅପେକ୍ଷା ମାନସିକ ଓ ଶାରୀରିକ ସ୍ତରରେ ଅସୁସ୍ଥ ବୟୋବୃଦ୍ଧମାନେ ହିଁ ଦେଶର ସରକାର ଏବଂ ଦଳୀୟ ପଦପଦବୀ ମାଡ଼ିବସିଛନ୍ତି। ଏହାଫଳରେ ଖାଲି କୁଶଳୀ ଯୁବସମାଜ ଉପେକ୍ଷିତ ହେଉନାହାନ୍ତି ବରଂ ଦେଶର ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହେଉଛି। କିଛି ଲୋକ ଆଜୀବନ କ୍ଷମତା ଓ ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ ଅନ୍ୟ ଯୋଗ୍ୟମାନଙ୍କୁ ସୁଯୋଗ ମିଳୁନାହିଁ। ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧୀଶଙ୍କ ଅବସର ବୟସସୀମା ୬୫ ବର୍ଷ, ହାଇକୋର୍ଟ ନ୍ୟାୟାଧୀଶଙ୍କ ଅବସର ବୟସସୀମା ୬୨ ବର୍ଷ, ବିଶ୍ୱବିଦ୍ୟାଳୟ ପ୍ରଫେସରମାନଙ୍କର ଅବସର ବୟସସୀମା ୬୦ରୁ ୬୫ ବର୍ଷ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କ ଅବସର ବୟସସୀମା ୬୦ ବର୍ଷ। ଏପରି କି ଘରୋଇ କ୍ଷେତ୍ରରେ ମଧ୍ୟ ୬୦ ବର୍ଷରେ କର୍ମଚାରୀମାନେ ଅବସର ନେବା ପ୍ରଥା ଅଛି। କିନ୍ତୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନଙ୍କର ଅବସର ବୟସସୀମା ନାହିଁ। ସାଂସଦ ,ବିଧାୟକ, ମନ୍ତ୍ରୀମାନଙ୍କ ପାଇଁ ଅବସର ବୟସସୀମା ନାହିଁ। ଏହା ଅସଙ୍ଗତ ନ ଲାଗିବା ଦୁର୍ଭାଗ୍ୟପୂର୍ଣ୍ଣ।
ଏବେ ଆସନ୍ତୁ କିଛି ଲୋକଙ୍କ ଯୁକ୍ତି ଉପରେ ଚର୍ଚ୍ଚା କରିବା। ସେମାନଙ୍କ ହିସାବରେ ରାଜନୀତି କୌଣସି ବୃତ୍ତି ବା ଚାକିରି ନୁହେଁ, ତେଣୁ ଅବସର ବୟସସୀମା ଅନାବଶ୍ୟକ। ଯଦି ଏହା ଏକ ବୃତ୍ତି କି ଚାକିରି ନୁହେଁ ତଥା ଏହା ଜନତାଙ୍କ ପାଇଁ ଗୋଟେ ସେବା ତା’ହେଲେ ଦରମା, ଭତ୍ତା, ପେନ୍‌ସନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ କାହିଁକି? ରାଜନୀତି କୌଣସି ବୃତ୍ତି ବା ଚାକିରିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥା ଦାୟିତ୍ୱବାନ କାର୍ଯ୍ୟ ଏବଂ ଏଥିପାଇଁ ସୁସ୍ଥ ମାନସିକ ସ୍ଥିତି ଓ ଶାରୀରିକ ଶକ୍ତିର ଆବଶ୍ୟକତା ରହିଛି। ଏଣୁ ଅବସର ବୟସ ସୀମା ଜରୁରୀ।
ଆମ ଦେଶ ଏକ ଯୁବକ ବହୁଳ ଦେଶ। ଏବେ ସମୟ ଉପନୀତ, ଆମକୁ କୁଶଳୀ ଯୁବକମାନଙ୍କୁ ଦେଶ ନିର୍ମାଣ ତଥା ଦେଶ ଚଳାଇବା ପାଇଁ ଅଗ୍ରାଧିକାର ଦେବା ଉଚିତ। ଆମକୁ ଉନ୍ନତ ଦେଶମାନଙ୍କୁ ଅନୁକରଣ କରିବାକୁ ପଡିବ। ରାଜନୀତିରେ ଅବସର ବୟସସୀମା ଲାଗୁ କରି ବୟୋବୃଦ୍ଧମାନଙ୍କୁ ରାଜନୀତିରୁ ବିମୁଖ କରି ସମାଜସେବା, ଶିକ୍ଷାଦାନ, ଧର୍ମକାର୍ଯ୍ୟ, ପ୍ରଥା ଓ ସଂସ୍କୃତିର ପ୍ରଚାର ପ୍ରସାର, ପାରିବାରିକ ସଦ୍ଭାବନା ବୃଦ୍ଧି ତଥା ନୂତନ ପିଢ଼ି ପାଇଁ ପ୍ରେରଣାଦାୟୀ ହେବାକୁ ପ୍ରେରିତ କରିବା ଉଚିତ। ଏପରି କଲେ ଆମ ସମାଜରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇପାରିବ। ବିକାଶ ତ୍ୱରାନ୍ବିତ ହେବା ସହିତ କାର୍ଯ୍ୟ-ଜୀବନ ସନ୍ତୁଳନ ଠିକ୍‌ ରହିପାରିବ।
ସୂଚନା ପ୍ରଯୁକ୍ତିବିତ୍‌,
ମୋ: ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଜୈବବିବିଧତା ସୁରକ୍ଷା ଓ କପ୍‌-୧୬

ପୃଥିବୀରେ ଜୀବନର ଉତ୍ପତ୍ତି ଏବଂ ଅଭ୍ୟୁଦୟ ଯେତିକି ଆଶ୍ଚର୍ଯ୍ୟଜନକ ବୋଧହୁଏ, ବହୁବିଧ ବୈଶିଷ୍ଟ୍ୟ ବହନକାରୀ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ ଜାତିଙ୍କର ବିଭିନ୍ନ ପରିସଂସ୍ଥାରେ ପରିସ୍ଫୁଟନ...

ପ୍ରତିଦ୍ବନ୍ଦ୍ୱୀ ନୁହେଁ, ସାଥୀ ହେବା

ବହୁ ସମୟରେ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ହେଉଛି ଯେ ନାରୀ, ପୁରୁଷଙ୍କ ସହ ସମାନ ହେବା ଉଚିତ! ମହିଳାମାନେ ପୁରୁଷ ଭଳି ପୋଷାକ...

ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି

୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା,...

୭୫ ବର୍ଷରେ ଭାରତୀୟ ସମ୍ବିଧାନ

ଚଳିତ ବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ କରାଯାଉଛି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ଭାବେ...

ଝିଅ ପାଇଁ ଯୋଗ୍ୟପାତ୍ର

ଦୁଇବର୍ଷ ତଳେ ବଜାରରୁ ଫେରିଲା ବେଳେ ହଠାତ୍‌ ଦେଖା ହୋଇଗଲେ ପୁରୁଣା ଭଡ଼ାଘର ସାମ୍ନା ମହାନ୍ତି ଘର ଆଣ୍ଟି। ଏମିତି କିଛି ସମୟ ସୁଖଦୁଃଖ ପଚାରି...

ନିଜ ମଧ୍ୟରେ ବାଛବିଚାର

ଭାରତର ଉତ୍ତର ପୂର୍ବାଞ୍ଚଳରୁ ଯାଇ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବାସ କରୁଥିବା ବ୍ୟକ୍ତିମାନେ ବର୍ଣ୍ଣବିଦ୍ୱେଷର ଘୋର ସମ୍ମୁଖୀନ ହେଉଥିବା ସଂକ୍ରାନ୍ତ ଏକ ରିପୋର୍ଟ ନିକଟରେ ଅନ୍‌ଲାଇନ...

ଏଇ ଭାରତରେ

ଅକୁଲ ବିଶ୍ୱାସ ଦିବ୍ୟାଙ୍ଗ ହେଲେ ବି ପାରଙ୍ଗମ। ସେ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକରି ଦକ୍ଷତାର ପରିଚୟ ଦେଇଛନ୍ତି। ମୁଖ୍ୟତଃ ସେ ହେନ୍ତାଳ ବଣ ସୁରକ୍ଷା...

ଶ୍ରେଷ୍ଠ ବନ୍ଧୁ

ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri