ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ: ଛେଚା ଖାଇଲେ, ଜରିମାନା ଦେଇ ଫେରିଲେ

ଖଇରା, ୧୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଏକ ବିବାହ ଅବସରରେ ଖାସି ମାଂସ ଖାଇବାକୁ ନେଇ ପ୍ରଥମେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ଲୋକେ ସହି ପାରିଲେନି। ଗଣ୍ଡଗୋଳ ଭିଆଇଥିବା ଯୁବଗୋଷ୍ଠୀଙ୍କୁ ଏଭଳି ଛେଚିଲେ ଯେ, କେତେଜଣ ଦୌଡି ଯିବା ବେଳେ ଜୋତା ନେବାକୁ ଭୂଲିଯାଇଥିଲେ। ପରେ ଗଣ୍ଡିବେଡ ବଜାର କମିଟି ତତ୍ତ୍ୱାବଧାନରେ ଉଭୟ ପକ୍ଷର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ହୋଟେଲ ମାଲିକଙ୍କୁ ୨ହଜାର ଓ ବଜାର କମିଟିକୁ ୧ହଜାର ଦେଇ ବାହାଘର ସାରି ଘରକୁ ଫେରିଥିଲେ। ବୁଧବାର ଖଇରା ଥାନା ଅଞ୍ଚଳର କନ୍ୟା ଓ ସିମୁଳିଆ ଥାନା ଅଧୀନ ଚୁଡୁଙ୍ଗା ଗ୍ରାମର ବରଙ୍କ ବିବାହ ଗଣ୍ଡିବେଡ ଜଗନ୍ନାଥ ମନ୍ଦିରରେ ବୁଧବାର ସ୍ଥିର ହୋଇଥିଲା। ବରଯାତ୍ରୀଙ୍କ ଖାଇବା ଗଣ୍ଡିବେଡର ଏକ ହୋଟେଲରେ ବ୍ୟବସ୍ଥା କରାଯାଇଥିଲା ା ନିର୍ଦ୍ଧାରିତଠାରୁ ଅଧିକ ବରଯାତ୍ରୀ ଆସିବାରୁ ଖାସି ମାଂସ କମ୍‌ ପଡିଥିଲା ା ଏଥିରେ ଉତ୍‌କ୍ଷିପ୍ତ ହୋଇ ବରପକ୍ଷର କେତେଜଣ ଯୁବକ ହୋଟେଲ କର୍ମଚାରୀଙ୍କୁ ଟେବୁଲ ଖୁରାରେ ପିଟି ଲହୁଲୁହାଣ କରି ପକାଇଥିଲେ। ଏଭଳି ଘଟଣା ବଜାରବାସୀ ଜାଣିବା ପରେ ସେମାନଙ୍କୁ ନିର୍ଧୁମ ଛେଚିଥିଲେ। ବରପକ୍ଷରୁ ୩ଜଣ ଓ ଜଣେ ହୋଟେଲ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା