ନିରାଶରେ ଘରକୁ ଫେରିଲେ ….

ଅତାବିରା,୧୬।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଚାଲିଥିବା କବାଡ଼ି ପ୍ରତିଯୋଗିତାରେ ଜଣେ ଛାତ୍ରୀ ସବ୍‌ବ୍ଲକସ୍ତରରେ ଉନ୍ନୀତ ହେବା ଏବଂ ଓଜନ ବୃଦ୍ଧି ଦର୍ଶାଇ ବ୍ଲକସ୍ତର ପ୍ରତିଯୋଗିତାରେ ଭାଗନେବାକୁ ଅଯୋଗ୍ୟ ଘୋଷିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିଲିମିଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତନୁ ବଢ଼େଇଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜିଛି।
ସୂଚନା ଅନୁଯାୟୀ, ଉକ୍ତ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ ଓଜନ ୫୫କି.ଗ୍ରାରୁ ଅଧିକ ହେଲେ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। ତେବେ ପତ୍ରାପାଲି ହାଇସ୍କୁଲରେ ଅନୁଷ୍ଠିତ କବାଡ଼ି ପ୍ରତିଯୋଗିତାରେ ଭାଗ ନେବାବେଳେ ତନୁଙ୍କ ଓଜନ ୫୪ କି.ଗ୍ରା ରହିଥିବା ଦର୍ଶାଯାଇଥିଲା ଏବଂ ସେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗିତାରେ ସେ ଭଲ ପ୍ରଦର୍ଶନ କରି ବ୍ଲକସ୍ତରୀୟ କବାଡ଼ି ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ଶନିବାର ଅତାବିରା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ବ୍ଲକସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ତନୁ ତାଙ୍କ ବାପା ରମେଶଙ୍କ ସହିତ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କ ଓଜନ ୬୦ କି.ଗ୍ରା ହୋଇଥିବା ଦର୍ଶାଇ ପ୍ରତିଯୋଗିତାରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ଫଳରେ ତନୁ ନିରାଶ ହୋଇ ଫେରି ଯାଇଥିଲେ। ତେବେ ୨ଦିନ ମଧ୍ୟରେ ତନୁଙ୍କ ଓଜନ କିଭଳି ୬କି.ଗ୍ରା ବୃଦ୍ଧି ପାଇଲା, ତାକୁ ନେଇ ନାନା ଦ୍ୱନ୍ଦ୍ୱ ଉପୁଜିଛି। ଏ ନେଇ ପତ୍ରାପାଲି ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ସୁନୀଲ ଭୋଇଙ୍କୁ ପଚାରିବାରୁ ସବ୍‌ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ତନୁଙ୍କ ଓଜନ ୫୪କି.ଗ୍ରା ରହିଥିବା ସେ କହିଥିଲେ। ସେହିପରି ଅତାବିରା ବ୍ଲକ କ୍ରୀଡ଼ା ସମ୍ପାଦକ ସୁଦୀପ କୁମାର ନାୟକଙ୍କୁ ପଚାରିବାରୁ ତନୁଙ୍କ ଓଜନ ୬୦ କି.ଗ୍ରା ହେବାରୁ ତାଙ୍କୁ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଥିଲା ବୋଲି କହିଛନ୍ତି।