ଛାଡ଼ିଲେନି ଗାଡ଼ି: ଫେରିଗଲେ ପୋଲିଂ କର୍ମଚାରୀ

ଭବାନୀପାଟଣା,୧୨।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳ ଦାବି ନେଇ ଚଳିତ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେମାନେ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ସୋମବାର ନିର୍ବାଚନ ଥିବାରୁ ପୋଲିଂ କର୍ମଚାରୀ ରବିବାର ଦୁଣ୍ଡା ଗ୍ରାମକୁ ଯାଉଥିବା ବେଳେ ଗ୍ରାମବାସୀ ସେମାନଙ୍କ ଗାଡିକୁ ଭିତରକୁ ନ ଛାଡିବା ସହ ଗାଡି ଆଗରେ ବିକ୍ଷୋଭ କରିଥିଲେ। ଫଳରେ ବାଧ୍ୟ ହୋଇ ପୋଲିଂ କର୍ମଚାରୀ ସେଠାରୁ ଫେରିଯାଇଥିବା ଜଣାପଡିଛି।

ଗତ ୭ ତାରିଖ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ହୋମଭୋଟିଂ ପାଇଁ ଗାଁକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଇ ଦେଇ ନ ଥିଲେ। ଫଳରେ ନିରାଶ ହୋଇ ନିର୍ବାଚନ ପାଇଁ ନିଯୁକ୍ତ କର୍ମଚାରୀମାନେ ଫେରି ଆସିଥିଲେ। ଦୁର୍ଗମ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଗାଁ ହେଉଛି ଦୁଣ୍ଡା ଗାଁ। ଏହି ଗ୍ରାମରେ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି, ମୋବାଇଲ ନେଟୱାର୍କ ଭଳି ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ରହିଛନ୍ତି । ଏହି ସବୁ ସମସ୍ୟାର ସମାଧାନ ନ ହେଉଥିବାରୁ ଗତ ପଞ୍ଚାୟତ ନିର୍ବାଚନ ମଧ୍ୟ ବର୍ଜନ କରିଥିଲେ ଗ୍ରାମବାସୀ। ଏହାପରେ ବି ପ୍ରଶାସନର ଦୃଷ୍ଟି ନ ପଡିବାରୁ ଚଳିତ ସାଧାରଣ ନିର୍ବାଚନ ମଧ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଦୁଣ୍ଡାରେ ପ୍ରାୟ ୪ଶହ ଜଣ ଭୋଟର ରହିଥିବା ଜଣାପଡିଛି।

Share