୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ

ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍‌ବୁକ୍‌। ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍‌ରେ ଘୂରି ବୁଲୁଥିବା ସାମ୍‌ନାକୁ ଆସିଛି। ୫୦ କୋଟିରୁ ଊର୍ଦ୍ଧ୍ୱ ୟୁଜର୍ସଙ୍କ ଫେସ୍‌ବୁକ୍‌ ଆଇଡିଠାରୁ ଆରମ୍ଭ କରି ଫୋନ୍‌ ନମ୍ବର, ଇମେଲ ଆଇଡି, ଫଟୋ, ଜନ୍ମ ସ୍ଥାନ ଆଦି ଡାଟା ଓ୍ବେବସାଇଟ୍‌ରେ ଉପଲବ୍ଧ ଘଟଣା ଜଣାପଡ଼ିବା ପରେ ବ୍ୟବହାରକାରୀଙ୍କ ତଥ୍ୟ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି। ହ୍ୟାକର୍ସଙ୍କ ଏକ ଓ୍ବେବସାଇଟ୍‌ରେ ୫୦ କୋଟିରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ଉପଲବ୍ଧ ହୋଇଛି। ଏଥିରେ ୬୧ ଲକ୍ଷ ଭାରତୀୟଙ୍କ ଡାଟା ରହିଛି। ଏ ନେଇ ‘ବିଜ୍‌ନେସ୍‌ ଇନ୍‌ସାଇଡର’ ଓ୍ବେବସାଇଟ୍‌ ପକ୍ଷରୁ ଖବର ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ୧୦୬ଟି ଦେଶର ୫୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ବାବଦରେ ପ୍ରାୟ ସମସ୍ତ ତଥ୍ୟ ଅନ୍‌ଲାଇନରେ ଘୂରି ବୁଲୁଛି। ଲୋକଙ୍କ ଡାଟା ସୁରକ୍ଷାକୁ ନେଇ ପୂର୍ବରୁ ଫେସ୍‌ବୁକ୍‌ ଉପରେ ବାରମ୍ବାର ପ୍ରଶ୍ନ ଉଠିଆସୁଥିବାବେଳେ ଏବେ ଏଭଳି ଖବର ସାମ୍‌ନାକୁ ଆସିବା ପରେ ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ିଛି। ପଲିଟିକାଲ ଫାର୍ମ କେମ୍ବ୍ରିଜ ଆନାଲିଟିକା ପ୍ରାୟ ୮ କୋଟି ୭୦ ଲକ୍ଷ ଲୋକଙ୍କ ତଥ୍ୟ ସେମାନଙ୍କ ଅଜାଣତରେ ହାସଲ କରନେଇଥିବା ଜଣାପଡ଼ିବା ପରେ ଫେସ୍‌ବୁକ୍‌ ୨୦୧୮ରେ କୌଣସି ମୋବାଇଲ ନମ୍ବର ମାଧ୍ୟମରେ ଆଇଡି ସର୍ଚ୍ଚ କରିବାର ସୁବିଧା ହଟାଇ ଦେଇଥିଲା। ସେହିପରି ପ୍ରାୟ ୨୬ କୋଟି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟ୍‌ରେ ଉପଲବ୍ଧ ହୋଇଥିବା ନେଇ ୨୦୧୯ରେ ୟୁକ୍ରେନର ସୁରକ୍ଷା ଅନୁସନ୍ଧାନକର୍ତ୍ତାଙ୍କ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ‘ବିଜ୍‌ନେସ୍‌ ଇନ୍‌ସାଇଡର’ ପକ୍ଷରୁ ପ୍ରକାଶିତ ରିପୋର୍ଟ ୨୦୧୯ରେ ପ୍ରଘଟ ତଥ୍ୟ ଉପରେ ଆଧାରିତ କି ନା ତାହା ସ୍ପଷ୍ଟ ହୋଇନାହିଁ। ଏ ବାବଦରେ ଫେସ୍‌ବୁକ୍‌ ଏକ ବିବୃତି ଜାରି କରି ଏହି ରିପୋର୍ଟକୁ ପୁରୁଣା ବୋଲି କହିଛି। ୨୦୧୯ ଅଗଷ୍ଟରେ ସମସ୍ୟା ସମାଧାନ କରାଯାଇଥିଲା ବୋଲି ଫେସ୍‌ବୁକ ପକ୍ଷରୁ କୁହାଯାଇଛି।

Share