ମତ୍ସ୍ୟସମ୍ପଦ ସମୃଦ୍ଧ ଓଡ଼ିଶା

ପ୍ରକାଶ ତ୍ରିପାଠୀ

ଆଜିର ଦିନ ଅର୍ଥାତ ଜୁଲାଇ ୧୦ ତାରିଖ ଦିନଟି ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଏହିଦିନ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଥିଲା ଓ ଏହା ଓଡ଼ିଶା ମାଟିରେ ସମ୍ପନ୍ନ ହୋଇଥିବାରୁ ପ୍ରତ୍ୟେକ ଓଡ଼ିଶାବାସୀ ଏଥିପାଇଁ ଗର୍ବିତ । ୧୯୫୭ ଜୁଲାଇ ୧୦ ଦିନ ଅବିଭକ୍ତ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭାରତର ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡ. କେ. ଏଚ. ଆଲିକୁନି ଏବଂ ଡ. ହୀରାଲାଲ ଚୌଧୁରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ତଥା ତତ୍କାଳୀନ ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶକ ଡ. ଗଜେନ୍ଦ୍ର ନାଥ ମିତ୍ରଙ୍କ ସହଯୋଗରେ ଆମ ଦେଶକୁ ଏହି ଐତିହାସିକ ସଫଳତା ମିଳିଥିଲା। ଏହି ବିରଳ ତଥା ମହତ୍ତ୍ୱପୂର୍ଣ୍ଣ ସଫଳତାକୁ ମନେ ରଖିବା ପାଇଁ ଏହି ଦିନଟିକୁ ସାରା ଭାରତରେ ଜାତୀୟ ମତ୍ସ୍ୟଚାଷୀ ଦିବସ ରୂପେ ପାଳନ କରାଯାଇଆସୁଅଛି। ଦେଶର ପ୍ରଗତି ଓ ବିକାଶରେ ମତ୍ସ୍ୟଚାଷୀ/ମତ୍ସ୍ୟଜୀବୀ/ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସ୍ମରଣ କରାଯିବା ସହ ଏହି କ୍ଷେତ୍ରକୁ ନୂତନ ଜ୍ଞାନକୌଶଳଯୁକ୍ତ କରିବା ଓ ପରିବେଶ ଅନୁକୂଳଯୁକ୍ତ ସମୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏକ ସହନଶୀଳ ମାଛ ବଂଶ ବୃଦ୍ଧି ସହ ସୁସ୍ଥ ପାରିବେଶିକ ଜଳସମ୍ପଦର ସୁରକ୍ଷା ଓ ଏଥିସହ ସମ୍ପୃକ୍ତ ପରିବାରଙ୍କ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ ଏହି ଦିବସ ପାଳନର ଯଥାର୍ଥତାକୁ ପ୍ରତିପାଦନ କରିଥାଏ।
ମତ୍ସ୍ୟ ସମ୍ପଦ ଦୃଷ୍ଟିରୁ ଓଡ଼ିଶା ଏକ ଉନ୍ନତ ରାଜ୍ୟ। ୬.୮୬ ଲକ୍ଷ ହେକ୍ଟର ମଧୁର ଜଳ କ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରିଜଳ କ୍ଷେତ୍ର ଓ ସର୍ବୋପରି ୪୮୦ କିମି ଉପକୂଳ ଅଞ୍ଚଳକୁ ନେଇ ଓଡ଼ିଶା ମତ୍ସ୍ୟ ସମ୍ପଦ ସମୃଦ୍ଧ। ଏବେ ପ୍ରାୟ ଦଶଟି ପ୍ରଜାତିର ମାଛ ଚାଷ ହେଉଥିବା ବେଳେ ଦୁଇ ଦଶନ୍ଧି ପୂର୍ବରୁ ମାଛଚାଷ କହିଲେ କେବଳ ରୋହି, ଭାକୁର ଓ ମିରିକାଳି ମାଛଚାଷକୁ ବୁଝାଯାଉଥିଲା। ଏହି ତିନି ଜାତିର ମାଛକୁ ସାଧାରଣତଃ କାର୍ପ ମାଛ କୁହାଯାଇଥାଏ। କୃତ୍ରିମ ପ୍ରଜନନ ମାଧ୍ୟମରେ ମାଛ ଯାଆଁଳ ଉତ୍ପାଦନ ହେବା ପୂର୍ବରୁ ନଦୀ ସ୍ରୋତରୁ ମାଛ ଯାଆଁଳ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ମାଛଚାଷ ନିମନ୍ତେ ଯୋଗାଇ ଦିଆଯାଉଥିଲା। ସାଧାରଣତଃ କାର୍ପ ଜାତୀୟ ମାଛମାନେ ସ୍ଥିର ଜଳରେ ଅଣ୍ଡା ଦିଅନ୍ତି ନାହିଁ। ପ୍ରବହମାନ ନଦୀର ଧାରରେ ସେମାନେ ବର୍ଷାଋତୁ ଆଗମନରେ ପ୍ରଜନନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଅଣ୍ଡାଗୁଡ଼ିକ ନଦୀଜଳର ସ୍ରୋତରେ ଭାସିବୁଲନ୍ତି ଓ କ୍ରମେ ଏଥିରୁ ମାଛ ଯାଆଁଳଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ନଦୀଜଳରୁ ସଂଗୃହୀତ ଏହି ମାଛ ଯାଆଁଳକୁ ନେଇ ଚାଷ କରୁଥିବା ମାଛଚାଷୀମାନେ ବିଶେଷ ଲାଭବାନ ହେଉ ନ ଥିଲେ। କାରଣ ଏଥିରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ରହୁଥିଲା ଓ ସବୁ ଯାଆଁଳ ଉନ୍ନତ ବା ରୋଗମୁକ୍ତ ନଥିଲେ। ମାଛଚାଷୀମାନଙ୍କୁ କିପରି ଭାବରେ ଉନ୍ନତ, ସ୍ବାସ୍ଥ୍ୟକର ଓ ନୀରୋଗ ଯାଆଁଳ ପ୍ରଦାନ କରାଯାଇପାରିବ ସେଥିପାଇଁ ମତ୍ସ୍ୟବିଜ୍ଞାନୀମାନେ ଗବେଷଣା ଆରମ୍ଭ କରିଥିଲେ। ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ (ହ୍ୟାଚେରି) କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ଅଧିକ ଅମଳକ୍ଷମ ଓ ଲୋକପ୍ରିୟ ମାଛ ରୋହି, ଭାକୁର ଓ ମିରିକାଳି ମାଛ ଯାଆଁଳ ଉତ୍ପାଦନ ପାଇଁ ଗବେଷଣାକୁ ତ୍ୱରାନ୍ବିତ କରାଯାଇଥିଲା।
ଭାରତରେ କୃତ୍ରିମ ପ୍ରଜନନ କାର୍ଯ୍ୟ ଆରମ୍ଭହୁଏ ୧୯୩୭ରେ। ବୈଜ୍ଞାନିକ ହାମିଦ ଖାନ୍‌ ମିରିକାଳି ମାଛ ଉପରେ ଏହାକୁ ପ୍ରୟୋଗ କରିଥିଲେ। ୧୯୫୫ରେ ଡ. ହୀରାଲାଲ ଚୌଧୁରୀ ଛୋଟ କାର୍ପ ଦଣ୍ଡକିରି ମାଛରେ ପ୍ରୟୋଗ କରିଥିଲେ। ଏହି ବର୍ଷ ମାଗୁର ମାଛରେ କୃତ୍ରିମ ପ୍ରଜନନ ପ୍ରକ୍ରିୟା କରିଥିଲେ ରାମସ୍ବାମୀ ଓ ସୁନ୍ଦରରାଜ ।
୧୯୬୨ରେ ଗ୍ରାସ କାର୍ପ ଓ ସିଲଭର କାର୍ପରେ କୃତ୍ରିମ ପ୍ରଜନନ ଭାରତରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଇତିମଧ୍ୟରେ ସାତଦଶକ ବିତିଯାଇଛି ଓ ମାଛର କୃତ୍ରିମ ପ୍ରଜନନରେ ଅନେକ ଉନ୍ନତୀକରଣ ଓ ପାରଦର୍ଶିତା ହାସଲ କରାଯାଇପାରିଛି। କେବଳ ବର୍ଷାଋତୁ ନୁହେଁ, ତା’ ପୂର୍ବରୁ ଓ ବର୍ଷ ସାରା ମାଛ ଯାଆଁଳ ହ୍ୟାଚେରିଗୁଡ଼ିକରେ ଉତ୍ପାଦନ କରାଯାଇ ସରକାରୀ ତଥା ଘରୋଇ କ୍ଷେତ୍ରରୁ ମାଛଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଛି। ଆମ ରାଜ୍ୟରେ ୩୨ଟି ସରକାରୀ ହ୍ୟାଚେରି ଓ ୯୫ଟି ଘରୋଇ ହ୍ୟାଚେରିରୁ ବାର୍ଷିକ ପ୍ରାୟ ୯୫ କୋଟି ମାଛ ଯାଆଁଳ ଉତ୍ପାଦନ କରାଯାଉଛି। ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ଉନ୍ନତ ମାଛ ଯାଆଁଳର ଆବଶ୍ୟକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୪ ଗୋଟି ସରକାରୀ ମାଛ ଫାର୍ମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଗତବର୍ଷ ବର୍ଷାଋତୁ ପୂର୍ବରୁ ଆଗୁଆ ୧୦ କୋଟି ଉନ୍ନତ ମାଛ ଯାଆଁଳ ଉତ୍ପାଦନ ହୋଇପାରିଥିବା ବେଳେ ଚଳିତ ବର୍ଷ ୩୦ କୋଟି ଯାଆଁଳ ଉତ୍ପାଦନର ଲକ୍ଷ୍ୟଧାର୍ଯ୍ୟ ହୋଇଛି। ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ସହ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ସାବଲମ୍ବୀ କରିବା ପାଇଁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଯାଆଁଳ ଉତ୍ପାଦନ ବାର୍ଷିକ ୨୭ କୋଟିରୁ ୯୫ କୋଟିରେ ପହଞ୍ଚିଥିବା ବେଳେ ରାଜ୍ୟର ମାଛ ଉତ୍ପାଦନ ୨.୫୯ ଲକ୍ଷ ଟନ୍‌ରୁ ବୃଦ୍ଧି ପାଇ ୮.୭୩ ଲକ୍ଷ ମେଟ୍ରିକଟନ୍‌ରେ ପହଞ୍ଚି ପାରିଛି। ମଧୁରଜଳ ମାଛ ଉତ୍ପାଦନରେ ଓଡ଼ିଶା ମତ୍ସ୍ୟଚାଷୀଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି। ୨୦୦୦-୦୧ ବର୍ଷରେ ରାଜ୍ୟରେ ହେକ୍ଟର ପିଛା ୧.୮୫ ମେଟ୍ରିକ ଟନ୍‌ ମାଛ ଉତ୍ପାଦିତ ହେଉଥିଲା ବେଳେ ଏବେ ହେକ୍ଟର ପିଛା ପ୍ରାୟ ୪.୦୦ ମେଟ୍ରିକ ଟନ୍‌ ମାଛ ଉତ୍ପାଦିତ ହେଉଛି। ୨୦୦୦-୦୧ ବର୍ଷରେ ଓଡ଼ିଶାରେ ବ୍ୟକ୍ତି ପିଛା ମାଛ ଆହରଣ ୭.୭୧ କିଗ୍ରା ଥିଲା ବେଳେ ଏବେ ଏହା ବ୍ୟକ୍ତି ପିଛା ୧୬.୨୪ କିଗ୍ରାକୁ ବୃଦ୍ଧି ପାଇଛି, ଯାହାକି ଜାତୀୟ ହାରଠାରୁ ବହୁ ଊର୍ଦ୍ଧ୍ୱରେ। ସେହିପରି ମାଛ ରପ୍ତାନି କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି ଆମ ରାଜ୍ୟ ଓ ଏହି କୋଡିଏ ବର୍ଷ ମଧ୍ୟରେ ମତ୍ସ୍ୟ ରପ୍ତାନି ୩୭୯ କୋଟି ଟଙ୍କାରୁ ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ହୋଇଛି।
ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକ ମତ୍ସ୍ୟକ୍ଷେତ୍ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ। ଏମାନଙ୍କ ସଫଳ ଉଦ୍ୟମ ଓ ନିଷ୍ଠାପର ମନୋଭାବ ଯୋଗୁ ଆମ ରାଜ୍ୟ ମଧୁର ଜଳ ମାଛ ଉତ୍ପାଦନରେ ସର୍ବଭାରତୀୟ ସ୍ତରରେ ପଞ୍ଚମ, ସାମୁଦ୍ରିକ ମାଛ ଉତ୍ପାଦନରେ ଅଷ୍ଟମ ଓ ସମୁଦାୟ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଆମ ରାଜ୍ୟରେ ବାର୍ଷିକ ମାଛର ଆବଶ୍ୟକତା ପ୍ରାୟ ସାଢେ ଛଅଲକ୍ଷ ମେଟ୍ରିକଟନ୍‌ ଥିବା ବେଳେ ଆମ ରାଜ୍ୟରୁ ଉତ୍ପାଦିତ ହେଉଛି ସାଢେ ଆଠଲକ୍ଷ ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ମାଛ। ମାତ୍ର ଆମ ରାଜ୍ୟରେ ସମୁଦ୍ରମାଛ (ଲୁଣୀ) ଅପେକ୍ଷା ମଧୁର ଜଳ ମାଛ ପ୍ରତି ଖାଉଟିମାନଙ୍କର ଅଧିକ ଆଗ୍ରହ ଥିବାରୁ ପଡୋଶୀ ରାଜ୍ୟରୁ ୪୬ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ୍ୱ ମାଛ ଆମଦାନୀ କରିବାକୁ ପଡିଥାଏ। ମଧୁରଜଳ ମାଛ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ନୂତନ ପୋଖରୀ ଖନନ କରି ଉଭୟ ମଧୁରଜଳ ମାଛ ଓ ଖାରିଜଳ ମାଛ/ଚିଙ୍ଗୁଡି ଚାଷ ନିମନ୍ତେ ସରକାରୀ ପ୍ରୋତ୍ସାହନ ଯୋଗାଇଦିଆଯାଉଛି। ମହିଳା ସୟଂ ସହାୟିକା ଗୋଷ୍ଠୀମାନଙ୍କୁ ଗ୍ରାମପଞ୍ଚାୟତ ପୋଖରୀକୁ ଦୀର୍ଘମିଆଦୀ ସୂତ୍ରରେ ଲିଜ ପ୍ରଦାନପୂର୍ବକ ମାଛ ଚାଷ ପାଇଁ ସୁଯୋଗ ଦିଆଯାଉଛି। ବ୍ୟକ୍ତିଗତଭାବେ ଏବଂ ଉଦ୍ୟୋଗୀମାନଙ୍କ ଦ୍ୱାରା ଜଳଭଣ୍ଡାରରେ ପଞ୍ଜୁରି ଭିତରେ ମାଛଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନୀତି ନିର୍ଦ୍ଧାରଣ କରାଯାଇଛି। ଏହା ଏକ ଉନ୍ନତ ଜ୍ଞାନକୌଶଳ ଯୁକ୍ତ ମାଛଚାଷ ହୋଇଥିବାରୁ ମାଛ ଉତ୍ପାଦନ ବୃଦ୍ଧିର ଏହା ଭବିଷ୍ୟତ ବୋଲି ବିବେଚନା କରାଯାଉଛି। । ରାଜ୍ୟର ୮ ଗୋଟି ବୃହତ ଓ ମଧ୍ୟମ ଜଳଭଣ୍ଡାରରେ ଶତକଡା ଏକଭାଗ ଜଳରାଶିକୁ ଯଦି ମାଛଚାଷ ନିମନ୍ତେ ବ୍ୟବହାର କରାଯିବ, ଯାହାଫଳରେ କି ବାର୍ଷିକ ଅନୂ୍ୟନ ୧.୨୫ ଲକ୍ଷ ମେଟ୍ରିକ ଟନ୍‌ ଅଧିକ ମାଛ ଉତ୍ପାଦନ ହୋଇପାରିବ। ସେହିପରି ଉନ୍ନତ ଜ୍ଞାନ କୌଶଳଯୁକ୍ତ ଜୈବପୁଞ୍ଜ( ବାୟୋଫ୍ଲକ)ପଦ୍ଧତିରେ ମାଛ/ଚିଙ୍ଗୁଡି ଚାଷ, ପଲିଥିନ ଆସ୍ତରଣଯୁକ୍ତ ପୋଖରୀରେ ଚିଙ୍ଗୁଡି ଚାଷ, ପୁନଃ ସଂଚାଳନ ପଦ୍ଧତିରେ ମାଛ ଚାଷ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହ ଏଥିରେ ସାବଲମ୍ବୀ ହେବାର ଦୃଢ଼ ସମ୍ଭାବନା ସୃଷ୍ଟି କରିଛି। ମତ୍ସ୍ୟଚାଷୀ/ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ସେମାନଙ୍କ ପରିବାରଙ୍କୁ ବୀମାଭୁକ୍ତ କରିବା, ସେମାନଙ୍କ ପୁଅ ଝିଅଙ୍କ ଉଚ୍ଚତର ଶିକ୍ଷା ପାଇଁ ମେଧା ବୃତ୍ତି ପ୍ରଦାନ, ମାଛଧରା କଟକଣା ସମୟରେ ଜୀବିକା ସହାୟତା ପ୍ରଦାନ, ମତ୍ସ୍ୟ ପରିବହନ ପାଇଁ ଭିତ୍ତିଭୂମି ଯୋଗାଣ , ବରଫକଳ ପ୍ରତିଷ୍ଠା, ମାଛ/ଚିଙ୍ଗୁଡି ହ୍ୟାଚେରି ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ , ମତ୍ସ୍ୟଜୀବୀ ସୋସାଇଟିର ଦୃଢ଼ୀକରଣ, ମତ୍ସ୍ୟ ଅବତରଣ କେଦ୍ର/ମତ୍ସ୍ୟ ବନ୍ଦରଗୁଡିକର ଆଧୁନିକୀକରଣ, ଆଧୁନିକ ମତ୍ସ୍ୟ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ଆଦି ସରକାରଙ୍କର ବିଭିନ୍ନ ପଦକ୍ଷେପ ରାଜ୍ୟର ମତ୍ସ୍ୟସମ୍ପଦ କ୍ଷେତ୍ରକୁ ସୁଦୃଢ କରିଛି। ରାଜ୍ୟର ଅଗଣିତ ମତ୍ସ୍ୟ ଚାଷୀ/ମତ୍ସ୍ୟଜୀବୀ/ମତ୍ସ୍ୟ ଉଦ୍ୟୋଗୀମାନଙ୍କ ପ୍ରଗାଢ଼ ନିଷ୍ଠା ଓ ଦାୟିତ୍ୱସମ୍ପନ୍ନ ଆଭିମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ଯୋଗୁ ରାଜ୍ୟକୁ ମତ୍ସ୍ୟସମ୍ପଦ ଅଭିବୃଦ୍ଧିରେ ମିଳିଛି ସାମଗ୍ରିକ ସଫଳତା । ଗତ ୨୦୨୦ ବର୍ଷ ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଓ କଳାହାଣ୍ଡି ଜିଲାକୁ ଶ୍ରେଷ୍ଠ ଆଭ୍ୟନ୍ତରୀଣ ଜିଲା ଭାବେ ପୁରସ୍କାର ମିଳିବା ଆମ ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri