Categories: ଜାତୀୟ

ଟିକସ ବଢ଼ାଇ ୨୦ ଲକ୍ଷ କୋଟି ଆୟ

ନୂଆଦିଲ୍ଲୀ, ୨୫।୧: ପେଟ୍ରୋଲ, ଡିଜେଲର କ୍ରମାଗତ ଦରବୃଦ୍ଧିକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଟିକସ ସଂଗ୍ରହରେ ବ୍ୟସ୍ତ ଥିବାବେଳେ ଦେଶରେ ହୁ ହୁ ହୋଇ ଦରଦାମ୍‌ ବଢ଼ି ଚାଲିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ନୂଆ ମୂଲ୍ୟସୂଚୀ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ପେଟ୍ରୋଲ ଦର ୯୩ ଟଙ୍କା ୬୩ ପଇସା, ଡିଜେଲ୍‌ ୮୩ ଟଙ୍କା ୬୪ ପଇସା ରହିଥିବାବେଳେ ଗ୍ୟାସ୍‌ ଦର ୯୩.୫ ଟଙ୍କା ବୃଦ୍ଧି ପାଇଥିବା ଉଲ୍ଲେଖ ରହିଛି। ମୋଦିଜୀ ଜିଡିପି (ଗ୍ୟାସ୍‌, ଡିଜେଲ, ପେଟ୍ରୋଲ)ରେ ଅଭୂତପୂର୍ବ ଅଭିବୃଦ୍ଧି କରିଛନ୍ତି ବୋଲି ରାହୁଲ ତାଚ୍ଛଲ୍ୟ କରିଛନ୍ତି। ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବାର ଦିନକ ପରେ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ମୋଦି ସରକାରଙ୍କ ସମୟରେ ଲାଗୁ ହୋଇଥିବା ଉତ୍ପାଦ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ କଂଗ୍ରେସ ଦାବି କରିଛି। ଦରଦାମ୍‌ ବୃଦ୍ଧି ଯୋଗୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପେଟ୍ରୋଲ ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା କଂଗ୍ରେସ ମୁଖପାତ୍ର ଅଜୟ ମାକେନ କହିଛନ୍ତି। ୨୦୧୪ ମେ’ରେ କଂଗ୍ରେସ କ୍ଷମତାରୁ ଯିବାବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପ୍ରତି ୧୦୮ ଡଲାର ଥିବାବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ଲିଟର ପ୍ରତି ୭୧.୫୧ ଏବଂ ୫୭.୨୮ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅଧାକୁ ଖସିଆସିଥିବାବେଳେ ଦିଲ୍ଲୀରେ ଏବେ ପେଟ୍ରୋଲ ୮୫.୭୦ ଓ ଡିଜେଲ ୭୫.୮୮ ଟଙ୍କାରେ ପହଞ୍ଚତ୍ଛି। ମୋଦି ସରକାର ଗତ ୬ ବର୍ଷ ୬ ମାସ ମଧ୍ୟରେ ପେଟ୍ରୋଲ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇ ୨୦ ଲକ୍ଷ କୋଟି ଟଙ୍କା ଆୟ କରିଥିବା କଂଗ୍ରେସ ମୁଖପାତ୍ର କହିବା ସହ ଏହି ଟଙ୍କା କୁଆଡ଼େ ଗଲା ତାହାର ଜବାବ ଦେବାକୁ ଦାବି କରିଥିଲେ।

Share