ଧରାକୋଟ,୧୩।୬(ଡି.ଏନ୍.ଏ.): ଧରାକୋଟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ପ୍ରତି ବିପଜ୍ଜନକ ସ୍ଥିତିରେ ପହଞ୍ଚତ୍ଛି । ବହୁଦିନ ପୂର୍ବରୁ ଏହା ନିର୍ମିତ ହୋଇଥିଲା। ବର୍ତ୍ତମାନ ଅଫିସ୍ ଛାତରୁ ପାଣି ଗଳୁଥିବାବେଳେ କବାଟ, ଝରକା ନଷ୍ଟ ହୋଇଗଲାଣି। ଏପରିକି ଚଟାଣ ମଧ୍ୟ ନଷ୍ଟ ହୋଇଗଲାଣି। ଗତ ଫାଇଲିନ ବାତ୍ୟାରେ ପାଚେରି କାନ୍ଥ ଭାଙ୍ଗି ଯାଇଛି । ଫଳରେ ବୁଲା ଗୋରୁ କୁକୁର ଅବାଧରେ ଭିତରକୁ ପଶୁଛନ୍ତି। ଏପରିକି ସାମ୍ନା ପଟର ଗ୍ରୀଲ ନଷ୍ଟ ହୋଇ ଯାଇଥିବା ଯୋଗୁ ରାତିରେ ଏଠାରେ ମଦ୍ୟପାନ କରିବା ପାଇଁ ଅସାମାଜିକମାନେ ଆଡ୍ଡା ଜମାଉଛନ୍ତି। ଧରାକୋଟ ରାଜସ୍ବ ସର୍କଲ ଅଧୀନରେ ୨୮ ରାଜସ୍ବ ଗ୍ରାମ ରହିଛି। ପ୍ରତିଦିନ ଏଠାକୁ ସଂଖ୍ୟାଧିକ ଲୋକ ଜମିଜମା କାର୍ଯ୍ୟ, ଛାତ୍ରୀଛାତ୍ରମାନେ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆସିଥା’ନ୍ତି। କାର୍ଯ୍ୟାଳୟର ଅବସ୍ଥା ଏପରି ହୋଇଛି ଯେ, ବର୍ଷା ପାଣି ଭିଜି ରେକର୍ଡ଼ ସବୁ ନଷ୍ଟ ହୋଇଯାଇଛି। ଏଣୁ ବାରମ୍ବାର କର୍ମଚାରୀମାନେ ତହସିଲ କାର୍ଯ୍ୟାଳୟକୁ ରେକର୍ଡ ଦେଖିବାକୁ ପଡୁଥିବାରୁ ସମୟ ନଷ୍ଟ ହେଉଛି। କୋଠାର ଏହିପରି ସ୍ଥିତି ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ ଫଳ ଶୂନ। ବିପଜ୍ଜନକ କୋଠା କେଉଁଦିନ ଭୁଶୁଡ଼ି ଧନ ଜୀବନ ନଷ୍ଟ ହେବ କହିହେଉ ନାହିଁ। ଏଣୁ ଗ୍ରାମ୍ୟ ନିର୍ମାଣ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନୂତନ କୋଠା ନିର୍ମାଣ ପାଇଁ ଦାବି ହେଉଛି ।