ରାଉରକେଲା କୋଭିଡ୍‌ ସ୍ଥିତି ସମୀକ୍ଷା

ଭୁବନେଶ୍ୱର ୯।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ରାଉରକେଲା ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ ହସ୍ପିଟାଲ, ଶାନ୍ତି ସ୍ମାରକୀ ହସ୍ପିଟାଲ ପରିଦର୍ଶ କରି ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ସୁନ୍ଦରଗଡ ଜିଲା ପ୍ରଶାସନ ସନ୍ତୋଷଜନକ କୋଭିଡ ପରିଚାଳନା କରିଛନ୍ତି। ଜିଲାରେ କୋଭିଡ ପଜିଟିଭ ହାର ୧ ପ୍ରତିଶତ ରହିଛି। ଜିଲାରେ ୨ଟି ଆଇସିୟୁ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ ଏକ ପ୍ରତିଷ୍ଠା କରାଯିବ। ଏଥିସହ ରାଉରକେଲାକୁ ଅଧିକ ୨୦ଜଣ ଡାକ୍ତର ପଠାଯିବ। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସେମାନେ କାର୍ଯ୍ୟରେ ଯୋଗଦେବେ। ଘରକୁ ଘର ସର୍ଭେ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଜନ ପ୍ରତିନିଧି,ବିଭିନ୍ନ ଅନୁଷ୍ଠାନ ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସାମିଲ କରି ଜନସମ୍ପର୍କ ଅଭିଯାନ ଆରମ୍ଭ ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଶୁକ୍ରବାର ଠାରୁ ପୌର ନିଗମ ଏହି ଅଭିଯାନ ଆରମ୍ଭ କରିବ। ସ୍ବାସ୍ଥ୍ୟବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ରାଉରକେଲାରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟ କରୁଛି। ଗତ ମାସରେ ଆର.ଏମ.ଆର.ସି ତରଫରୁ କରାଯାଇଥିବା ସେରୋଲୋଜିକାଲ ସର୍ଭେରୁ ଜଣାପଡିଛି ରାଉରକେଲା ସହରର ପ୍ରାୟ ୨୫ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ ଆଣ୍ଟିବଡି ସୃଷ୍ଟି ହୋଇଛି।

Share