ରୂପାନ୍ତରଣ ହେବ କାନ୍ତକବିଙ୍କ ଜନ୍ମପୀଠ

ଚାନ୍ଦବାଲି/ବାସୁଦେବପୁର/ଧାମନଗର/ଭଣ୍ଡାରିପୋଖରୀ,୧୩ା୬ (ଡି.ଏନ.ଏ./ସ୍ବ.ପ୍ର.): ୫-ଟି ସଚିବ ଭି. କେ. ପାଣ୍ଡିଆନ ଭଦ୍ରକ ଗସ୍ତ ଅବସରରେ ସୋମବାର ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ରୂପାନ୍ତରଣ କରାଯିବା ନେଇ ସେ ଘୋଷଣା କରିଛନ୍ତି।
ପ୍ରଥମେ ମନ୍ତେଇ ନଦୀର ବାଂଶଡ଼ା ପୋଲ, ଚାନ୍ଦବାଲି ଇନ୍‌ଡୋର ଷ୍ଟାଡିୟମ ଓ ମେଗା ପାନୀୟଜଳ ପ୍ରଳଳ୍ପ, ଚାନ୍ଦବାଲି ନାବିକ ପ୍ରଶିକ୍ଷଣ କେନ୍ଦ୍ର, ପର୍ଯ୍ୟଟନ ଜେଟି ଆଦି ୯ ସ୍ଥାନରେ ସମୀକ୍ଷା କରିଥିଲେ। ମା’ କାଳୀଙ୍କୁ ଦର୍ଶନ ସହ କାଳୀପଡ଼ିଆରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ସେଠାରୁ ବାସୁଦେବପୁରର ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡ୍‌, ବାସୁଦେବପୁର ଡାକ୍ତରଖାନା ପରିଦର୍ଶନ କରିଥିଲେ। ଅନୁଷ୍ଠିତ ସଭାରେ ଯୋଗଦେଇ ଜଳସେଚନ ଓ ଚାଷୀଙ୍କ ସମସ୍ୟାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଏଥିସହ ଅଞ୍ଚଳର ଧର୍ମାନୁଷ୍ଠାନର ଉନ୍ନତୀକରଣ ପାଇଁ ୭ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ସେ କହିଥିଲେ। ପରେ ମନ୍ଦାରୀସ୍ଥିତ ୫-ଟି ରୂପାନ୍ତରିତ ସ୍କୁଲ, ରକ୍ତତୀର୍ଥ ଇରମଠାରେ ଶହୀଦ ସମାଧିପୀଠ ଓ ସ୍ମୃତିସ୍ତମ୍ଭ ପରିଦର୍ଶନ କରିଥିଲେ। ସେଠାରେ ଶହୀଦଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରି ପୀଠର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପରେ ଧାମନଗରରେ ନିର୍ମାଣାଧୀନ ଇନ୍‌ଡୋର ଷ୍ଟାଡିୟମ, ସମନ୍ବିତ ଭିତ୍ତିଭୂମି ପ୍ରତିଷ୍ଠାନ (ଆଇଆଇସି) ଜରାନିବାସ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠ ଏହି ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ତାଳପଦାର ଉଚ୍ଚକୋଟୀର ରୂପାନ୍ତରୀକରଣ କରାଯିବା ନେଇ ଘୋଷଣା କରିଛନ୍ତି। ଶେଷରେ ଭଣ୍ଡାରିପୋଖରୀରେ ମିଶନ ଶକ୍ତି ଷ୍ଟଲକୁ ବୁଲି ଦେଖିଥିଲେ। କେନ୍ଦୁଆପଦା ଓ ମଞ୍ଜୁରୀରୋଡ୍‌ ରେଳ ଓଭରବ୍ରିଜ କରାଯିବ। ଏଥିସହ ଆଖୁଆପଦାସ୍ଥିତ ବୈତରଣୀ ନଦୀ ଉପରେ ଯଥାଶୀଘ୍ର ବ୍ୟାରେଜ୍‌ ନିର୍ମାଣ ହେବ ଏବଂ ଏଥିନିମନ୍ତେ ୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବ ବୋଲି କହିଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲି, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନାଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Share