Categories: ଜାତୀୟ

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ। ୨୦୧୭ରେ ସରକାର ଏଭଳି ନିୟମ ପ୍ରଚଳନ କରିଥିଲେ। ତେବେ ଏହା ଉକ୍ତ ଆଇନର ବିରୁଦ୍ଧାଚରଣ କରୁଥିବାରୁ ତୁରନ୍ତ ଉକ୍ତ ନିୟମାବଳୀ ପ୍ରତ୍ୟାହାର କରିବା କିମ୍ବା ସଂଶୋଧନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହାକୁ ପ୍ରତ୍ୟାହାର କିମ୍ବା ସଂଶୋଧନ କରା ନ ଯାଏ ତେବେ ଏହାକୁ ସ୍ଥଗିତ ରଖାଯିବ। ଆଇନ ଅନୁଯାୟୀ ଅଭିଯୁକ୍ତ ଯଦି ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇପାରିବ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନଙ୍କ ଖଣ୍ଡପୀଠ କହିଛନ୍ତି। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଜୀବେ ନିଷ୍ଠୁରତା ନିରୋଧୀ ଆଇନରେ ମାମଲାର ବିଚାର ଚାଲୁଛି, ଜୀବଜନ୍ତୁ ସେମାନଙ୍କ ଜୀବିକାର ଉତ୍ସ। ତେଣୁ ସମ୍ପୃକ୍ତ ବ୍ୟକ୍ତି ଦୋଷୀସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଜୀବଜନ୍ତୁଙ୍କୁ ଜବତ କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି।

Share