କେନ୍ଦୁଝର ଜିଲା ଘସିପୁରା ବ୍ଲକର ଅତାସାହିରେ ୧୯୫୦ ଜୁନ୍ ୨୨ରେ ଜନ୍ମ ଗ୍ରହଣ କରିଥିଲେ ଶିଶୁ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ସେ ଏକ କ୍ଷୁଦ୍ର କବିତା ଲେଖିଥିଲେ। ଏହାପରେ କଲେଜ ଜୀବନରେ ଲେଖାଲେଖି ଆରମ୍ଭ କରିଥିଲେ। ପରିବାର ତଥା ସହପାଠୀଙ୍କ ପ୍ରଶଂସା ଓ ପ୍ରେରଣା ତାଙ୍କୁ ଅଧିକ ଲେଖାଲେଖି କରିବାକୁ ଉତ୍ସାହିତ କରିଥିଲା। ଜଣେ ଶିକ୍ଷକ ଭାବେ ଜୀବନ ଅତିବାହିତ କରିଥିଲେ ବି ସେ କେବେ ମଧ୍ୟ ଲେଖିବା ଛାଡି ନାହାନ୍ତି। ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ‘ବାଲ୍ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବା ରାମଚନ୍ଦ୍ରଙ୍କ ସହ ସ୍ବତନ୍ତ୍ର ଆଳାପ।
‘ବାଲ୍ ସାହିତ୍ୟ ପୁରସ୍କାର’ କଥା ଶୁଣି କିପରି ଅନୁଭବ କରୁଛନ୍ତି?
ସାଧନାର ଫଳ ମିଳିଛି, ତେଣୁ ଖୁସି ଲାଗୁଛି। ମାତ୍ର ସାଧନା ପାଖରେ ପୁରସ୍କାରକୁ ମୁଁ ଗୁରୁତ୍ୱ ଦିଏ ନାହିଁ। ପୁରସ୍କାର ଏକ କ୍ଷଣିକ ଆନନ୍ଦ, ପ୍ରେରଣାର ଏକ ମାଧ୍ୟମ। ମାତ୍ର ସାଧନା ଚିରନ୍ତନ, ଜୀବନ ସାରା ଆମକୁ ଖୁସି ଦେଇଥାଏ। ଜଣେ ସାହିତି୍ୟକଙ୍କ ପାଇଁ ସାଧନା ଆନନ୍ଦର ଦାନ। ଏ ବୟସରେ ବି ମୁଁ ପ୍ରତିଦିନ ୭ ରୁ ୮ଘଣ୍ଟା ପଢେ।
ସାହିତ୍ୟ ପ୍ରତି କେବେଠାରୁ ରୁଚି ବଢ଼ିଥିଲା?
ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ମୁଁ ଏକ କବିତା ଲେଖିଥିଲି। ଆମ ବିଦ୍ୟାଳୟରେ ଏକ ଅନ୍ତାକ୍ଷରୀ ପ୍ରତିଯୋଗିତା ହେଉଥିଲା। ସେଥିରେ ମୁଁ ହଠାତ୍ ଏକ କବିତା ‘ଭଗବାନ ତୁମ୍ଭେ ଶୁଣ, ମୁହିଁ ଡାକୁଚି ପୁଣ’ ଗାଇଥିଲି। ଏହା ସ୍ବତଃ ମୋ ମନକୁ ଆସିଥିଲା। ସହପାଠୀ ତଥା ଶିକ୍ଷକଙ୍କ ପାଖରୁ ଏଥିପାଇଁ ପ୍ରଶଂସା ବି ପାଇଥିଲି। ଏହାପରେ ଧୀରେ ଧୀରେ ଲେଖିବା ଆରମ୍ଭ ହୋଇଥିଲା, ଆଉ ସାହିତ୍ୟକୁ ଭଲ ପାଇବା ବି ବଢ଼ିଥିଲା।
ବର୍ତ୍ତମାନ ସାହିତ୍ୟର ସ୍ଥିତି କପରି ରହିଛି?
ସାହିତ୍ୟର ସ୍ଥିତି ସବୁବେଳେ ଭଲ ରହିଛି। ମାତ୍ର ଆମ ପାଠ ଓ ଆମ ପରିବେଶର ଚିନ୍ତନ ଶକ୍ତିରେ ଅବକ୍ଷୟ ହୋଇଛି। ସାହିତ୍ୟ ସବୁବେଳେ ପ୍ରଶଂସନୀୟ। ମାତ୍ର ସାହିତ୍ୟ ଭିତରେ ଶସ୍ତା ଭାବନାକୁ ପୂରାଇ ଏହାକୁ ପତନ ଆଡକୁ ଟାଣି ନିଆଯାଉଛି। ପ୍ରକୃତ ସାହିତ୍ୟ କିନ୍ତୁ ଜୀବନ୍ତ।
‘ବଣ ଦେଉଳରେ ସୁନା ନେଉଳ’ ପୁସ୍ତକର ବିଶେଷତ୍ୱ କ’ଣ ରହିଛି?
ପରିବେଶ ସୁରକ୍ଷା, ବୃକ୍ଷ ରୋପଣର ଉପକାରିତା, ଜାତୀୟ ଚେତନା, ସାହସିକତା, ନାରୀ ଜାଗରଣ ଏବଂ ହାସ୍ୟ ଏହି ପୁସ୍ତକର ଆଧାର।
ବର୍ତ୍ତମାନର ଶିଶୁ ସାହିତି୍ୟକଙ୍କ ପାଇଁ କ’ଣ ବାର୍ତ୍ତା ରହିବ?
ବର୍ତ୍ତମାନ ଯୁଗରେ କିଛି ସାଧକ ଆଶୁ ଫଳ ପାଇଁ ଲାଳାୟିତ ହେଉଛନ୍ତି। ମାତ୍ର ସେମାନେ ପୁରସ୍କାର ନୁହେଁ, ସାଧନା ଉପରେ ଗୁରୁତ୍ୱ ଦେବା ଉଚିତ୍। ଶିଶୁ ସାହିତି୍ୟକମାନେ ଶିଶୁଙ୍କ ହୃଦୟକୁ ପଢିବା ଶିଖନ୍ତୁ। ସେମାନଙ୍କ ମନକୁ ବୁଝିପାରିଲେ ହିଁ ଶିଶୁସାହିତି୍ୟକମାନେ ଅଧିକ ଦିନ ତିଷ୍ଠି ପାରିବେ।