Categories: ଜାତୀୟ

ଆର ଜି କର ମାମଲା: ଆମରଣ ଅନଶନରେ ବସିଥିବା ୭ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି

କୋଲକାତା,୧୧।୧୦: ଆରଜି କର ହସ୍ପିଟାଲରେ ଘଟିଥିବା ବଳାତ୍କାର ଓ ହତ୍ୟା ଘଟଣା ବିରୋଧରେ କୋଲକାତାରେ ଆମରଣ ଅନଶନ କରୁଥିବା ଜଣେ ଜୁନିଅର ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗୁରୁବାର ରାତିରେ ତାଙ୍କୁ ତୁରନ୍ତ ଆର.ଜି କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ଶନିବାର ରାତିରୁ ଜୁନିଅର ଡାକ୍ତରମାନେ ଉକ୍ତ ମାମଲାକୁ ବିରୋଧ କରି ଆମରଣ ଅନଶନରେ ବସିଛନ୍ତି।
ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ବରିଷ୍ଠ ଡାକ୍ତର ସୁବର୍ଣ୍ଣ ଗୋସ୍ବାମୀ କହିଛନ୍ତି ଜଣେ ଜୁନିଅର ଡାକ୍ତରଙ୍କ ସ୍ବାସ୍ଥ ଅବସ୍ଥା ବିଗିଡି ଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ଭଲ ନାହଁି। ତାଙ୍କୁ ଆରଜି କର ହସ୍ପିଟାଲ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଗତ ଦୁଇମାସ ଧରି ଆରଜି କର ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଜୁନିଅର ଡାକ୍ତରମାନେ ଅନଶନରେ ବସିଛନ୍ତି। ଗୁରୁବାର ସାରେ ଗତ ୬ଦିନ ଧରି ଉପବାସରେ ଥିବା ୭ଜଣ ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚାରିଜଣ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ ଫାଷ୍ଟ ସାଇଟକୁ ପଠାଇଥିଲା।
ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଚାରି ସଦସ୍ୟ ବିଶିଷ୍ଟ ଡାକ୍ତରୀ ଦଳର ସଦସ୍ୟ ଦୀପ୍ତେନ୍ଦ୍ର ସରକାର କହିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବାକୁ କରିବାକୁ ଆମେ ଏଠାକୁ ଆସିଛୁ। ପାଞ୍ଚ ଦିନ ଉପବାସ ପରେ ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ସ୍ବାସ୍ଥ୍ୟ ପାରାମିଟରଗୁଡିକ ଭଲ ନ ଥିଲା।

Share