ଡ୍ରଗ୍ସ କନେକ୍ସନ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ବମ୍ବେ ହାଇକୋର୍ଟରୁ ସର୍ତ୍ତ ଅନୁଯାୟୀ ଜାମିନ ମିଳିଛି। ରିୟାଙ୍କ ଭାଇ ଶୋଭିକ ଏବଂ ଡ୍ରଗ୍ସ ବିକ୍ରେତା ବସିତ ପାରିହରଙ୍କୁ ଜାମିନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁଶାନ୍ତଙ୍କ ଷ୍ଟାଫ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି। ଏନସିବି କହିଛି ଯେ କୋର୍ଟ ଯେଉଁମାନଙ୍କୁ ଜାମିନ ଦେଇଛନ୍ତି, ସେ ଏହା ବିରୋଧରେ ଆବେଦନ କରିବେ। ରିୟାଙ୍କୁ ଏବେ ପାସପୋର୍ଟ ଦାଖଲ କରିବାକୁ ପଡିବ। ଏଥି ସହିତ ରିୟାଙ୍କୁ ମୁମ୍ବାଇରୁ ବାହାରକୁ ଯିବାକୁ ଅନୁମତି ନେବାକୁ ପଡିବ ବୋଲି ସର୍ତ୍ତ ରହିଛି। ସୂଚନାଯୋଗ୍ୟ, ରିୟାଙ୍କୁ ଏନସିବି ଦ୍ୱାରା ସେପ୍ଟେମ୍ବର ୮ ରେ ଗିରଫ କରାଯାଇଥିଲା।