ବମ୍ବେ: ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦିନ କେଇଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ପାର କରିଛି। ଏଭଳି ପରିସ୍ଥିତିରେ ବିିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନର ଅଭାବ ସହ ଔଷଧର କଳାବଜାରି ଭଳି ଘଟଣା ସାମ୍ନାକୁ ଆସୁଛି। ଲୋକଙ୍କ ଏଭଳି ଅସୁବିଧା ସମୟରେ ଆଗକୁ ଆସିଛନ୍ତି କିଛି କଳାକାର। ଅଭିନେତା ସୋନୁ ସୁଦଙ୍କଠାରୁ ଆରମ୍ଭ କରି ଅଭିନେତ୍ରୀ ଭୂମି ପେଡନେକର ପ୍ରମୁଖ ସହାୟତାର ହାତ ବଢ଼ାଉଛନ୍ତି। ଏହି ମହତ୍ କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି ବିବାଦୀୟ ନାୟିକା ରିଆ ଚକ୍ରବର୍ତ୍ତୀ।
ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ରିଆ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ। ନିକଟରେ ସେ ଜାମିନରେ ଆସିବା ପରେ ପୁଣିଥରେ ମୁଖ୍ୟସ୍ରୋତକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଏବେ ରିଆ ନିଜର ଇନ୍ଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି।
ଆଜିର କଠିନ ସମୟରେ ଏକତା ଆବଶ୍ୟକ। ଯାହାର ସହାୟତା କରିପାରୁଛନ୍ତି କରନ୍ତୁ। ଏଥିରେ ଛୋଟ ବଡ଼ ନ ଥାଏ। ଯଦି ମୋ’ଠାରୁ କୌଣସି ପ୍ରକାର ସହାୟତା ଆଶା କରୁଛନ୍ତି କହିପାରନ୍ତି। ତାହାକୁ ପୁରଣ କରିବାକୁ ଚେଷ୍ଟା କରିବି। ନିଜର ଧ୍ୟାନ ରଖନ୍ତୁ। ଦୟାଳୁ ହୁଅନ୍ତୁ। ସମସ୍ତଙ୍କୁ ମୋ’ ତରଫରୁ ଭଲପାଇବା ଓ ଶକ୍ତି ବୋଲି ରିଆ ଲେଖିଛନ୍ତି।