ସୁଶାନ୍ତଙ୍କ ଅସୁସ୍ଥତା ସତ୍ତ୍ୱେ ପାର୍ଟି କରୁଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁର ପଛର କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ମାମଲାରେ ଏବେ ସିବିଆଇ ଓ ଇଡି ଯାଞ୍ଚ କରୁଛନ୍ତି। ସୁଶାନ୍ତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ କେତେକ ଚାଞ୍ଚଲ୍ୟକର ଖୁଲାସା ମଧ୍ୟ ହେଉଛି। ଇତିମଧ୍ୟରେ ସୁଶାନ୍ତଙ୍କ ପାଇଁ କାମ କରୁଥିବା ଜଣେ ଡ୍ରାଇଭର ଧିରେନ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ରିୟା ସୁଶାନ୍ତଙ୍କୁ ନିୟନ୍ତ୍ରଣ କରୁଥିଲେ। ଏଥିସହ ସୁଶାନ୍ତ ଯେତେବେଳେ ଅସୁସ୍ଥ ରହୁଥିଲେ ସେତେବେଳେ ବି ରିୟା ପାର୍ଟି କରୁଥିଲେ। ଏହାଛଡା ରିୟା ସୁଶାନ୍ତଙ୍କ ସମସ୍ତ ଷ୍ଟାଫ୍‌ଙ୍କୁ ଚାକିରିରୁ ବିଦା କରି ନିଜ ଷ୍ଟାଫ୍‌ଙ୍କୁ ରିଖିବାକୁ ଚାହୁଁଥିଲେ ବୋଲି ଧିରେନ କହିଛନ୍ତି। ସେହିପରି ଥରେ ସୁଶାନ୍ତଙ୍କ ବଡ଼ ଭଉଣୀ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସହ ଏକ ପାର୍ଟିକୁ ଯାଇଥିଲେ। କିନ୍ତୁ ପାର୍ଟିରୁ ଫେରିବା ପରେ ସେ ସଙ୍ଗେ ସଙ୍ଗେ ଦିଲ୍ଲୀ ଚାଲିଯାଇଥିଲେ। ବୋଧହୁଏ ଉକ୍ତ ପାର୍ଟିରେ ରିୟା ଓ ସୁଶାନ୍ତଙ୍କ ଭଉଣୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ବୋଲି ଧୀରେନ କହିଛନ୍ତି।

Share