Advertisement

ସୁଶାନ୍ତଙ୍କୁ ଭୂତ କଥା କହି ଭୟଭୀତ କରାଉଥିଲେ ଗର୍ଲଫ୍ରେଣ୍ଡ୍‌ ରିୟା

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ଧୀରେଧୀରେ ଅଡୁଆ ସୂତା ଭଳି ଜଟିଳ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ ମିତୁ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି। ରିୟା ଭୂତ କଥା କହି ସୁଶାନ୍ତଙ୍କୁ ଭୟଭୀତ କରାଉଥିଲେ ବୋଲି ସେ କହିଛନ୍ତି। ଫଳରେ ସୁଶାନ୍ତ ପୂର୍ବରୁ ରହୁଥିବା ଘର ପରିବର୍ତ୍ତନ କରି ନୂଆ ଘରକୁ ଆସିଥିଲେ। ସୁଶାନ୍ତ ସମ୍ପୂର୍ଣ୍ଣ ଭାବେ ରିୟାଙ୍କ ନିୟନ୍ତ୍ରଣରେ ଥିଲେ। ରିୟା ଯାହା କହୁଥିଲେ ସୁଶାନ୍ତ ତାହା ପାଳନ କରୁଥିଲେ। ରିୟାଙ୍କ ଏଭଳି ଉଦ୍ଦେଶ୍ୟ ପଛରେ କାରଣ କ’ଣ ଥିଲା ତାହା ଏବେ ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପୂର୍ବରୁ ପଚରାଉଚରା ସମୟରେ ସୁଶାନ୍ତଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ସମ୍ପର୍କରେ ରିୟା ସ୍ବୀକାର କରିଥିଲେ। ଏହା ସହିତ ସୁଶାନ୍ତ ରିୟାଙ୍କ ବହୁ ଖର୍ଚ୍ଚ ବହନ କରୁଥିବା ମଧ୍ୟ ଜଣାପଡ଼ିଛି। ଏହି ମାମଲାର ତଦନ୍ତ ଏବେ ମୁମ୍ବାଇ ପୋଲିସ ସହିତ ବିହାର ପୋଲିସ ମଧ୍ୟ କରୁଛନ୍ତି। ତେବେ ଯାଞ୍ଚ୍‌ ମୁମ୍ବାଇ ପୋଲିସ କରୁବୋଲି ରିୟା ଇତିମଧ୍ୟରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। କିନ୍ତୁ ପୂର୍ବରୁ ରିୟା ମୁମ୍ବାଇ ପୋଲିସର ତଦନ୍ତ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଏବେ ଏଭଳି କାହିଁକି କହୁଛନ୍ତି ତାହା ସନ୍ଦେହ ଘେରରେ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share