ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ନାମରେ ରୁଜୁ ହୋଇଛି ମାମଲା। ସୁଶାନ୍ତଙ୍କ ବାପା କେ.କେ. ସିଂ ପାଟଣା ଥାନାରେ ଅଭିଯୋଗ କରିବା ପରେ ଦିନକୁ ଦିନ ଏହି ଘଟଣା ନୂଆ ମୋଡ଼ ନେଉଛି। ଇଡି ଲଗାତାର ଭାବେ ରିୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି। ଏସବୁ ଭିତରେ କେଉଁ କାରଣରୁ ରିୟା ଜୁନ୍ ୮ରେ ସୁଶାନ୍ତଙ୍କ ଘର ଛାଡ଼ି ଚାଲିଯାଇଥିଲେ ତାହା ଜଣାପଡ଼ିଛି। ରିୟାଙ୍କ ସକିଲ ସତିଶ ମାନେସିନ୍ଦେ ଏନେଇ ଅନେକ କଥା ସାକ୍ଷାତକାରରେ କହିଛନ୍ତି। ସେକହିଛନ୍ତି, ରିୟା ସୁଶାନ୍ତଙ୍କୁ ଏକୁଟିଆ ଛାଡ଼ିବାକୁ ଚାହୁଁ ନ ଥିଲେ। ହେଲେ ଏପରି କରିବାକୁ ତାଙ୍କୁ ବାଧ୍ୟ କରାଯାଇଛି। କାରଣ ସୁଶାନ୍ତ ତାଙ୍କୁ କିଛି ଦିନ ଏକୁଟିଆ ଛାଡ଼ିବାକୁ କହିଥିଲେ।
ଏହାଛଡ଼ା ସତିଶ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତ ନିଜ ପରିବାରକୁ ଅନେକ ଥର ଫୋନ୍ କରିଛନ୍ତି, ତାଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି, ଏପରିକି ବମ୍ବେ ଛାଡ଼ି ଚାଲିଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ କିଛି ଦିନ ପରେ ପରିବାରଲୋକେ ଏହାର ଉତ୍ତର ଦେଇଥିଲେ। ବମ୍ବେରେ ରହୁଥିବା ତାଙ୍କ ଭଉଣୀ ତାଙ୍କ ସହ ରହିବାକୁ ରାଜି ହୋଇଥିଲେ। ହେଲେ ରିୟା ସୁଶାନ୍ତଙ୍କ ବ୍ୟବହାର ଯୋଗୁ ଅସୁସ୍ଥ ହେଉଥିଲେ। ସେଥିପାଇଁ ବାଧ୍ୟ ହୋଇ ରିୟା ଛାଡ଼ି ଚାଲିଯାଇଥିବା ସେ କହିଛନ୍ତି।
ତେବେ ଏହାକୁ ନେଇ ସୁଶାନ୍ତଙ୍କ ପରିବାରର ଓକିଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରିୟା ସୁଶାନ୍ତଙ୍କ ଛାଡ଼ି ପଳାଇବା ପରେ ମିତୁ ରହିବାକୁ ଯାଇଥିଲେ। ଏପରିକି ଯଦି ରିୟା ଘର ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ ତେବେ ସୁଶାନ୍ତଙ୍କ ଫୋନ୍ ନଂ କାହିଁକି ବ୍ଲକ କରିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ ମାମଲାରେ ରିୟା ବିଶେଷଭାବେ ଛନ୍ଦି ହୋଇ ପଡ଼ୁଛନ୍ତି।