ନଭେମ୍ବର ପହିଲାରୁ ଧାନ ସଂଗ୍ରହ

ଭୁବନେଶ୍ୱର, ୨୮ା୧୦(ବ୍ୟୁରୋ): ନଭେମ୍ବର ପହିଲାରୁ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ରାଜ୍ୟରେ ୧୪.୯୭ ଲକ୍ଷ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ୨୦୧୯-୨୦ ଆର୍ଥିକବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ। ଗତବର୍ଷ ୧୨.୩୫ ଲକ୍ଷ ଚାଷୀ ନାମ ପଞ୍ଜୀକୃତ କରିଥିଲେ। ସେହିପରି ନାମମାତ୍ର, କ୍ଷୁଦ୍ର ଓ ନିମ୍ନ ମଧ୍ୟମ ଚାଷୀ ପଞ୍ଜୀକରଣରେ ଯଥାକ୍ରମେ ୨୧, ୨୨ ଏବଂ ୨୪ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ୨୮୫୭ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହେବେ। ଏବେ ସୁଦ୍ଧା ୩୩୩୭ ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତି ହୋଇଛି। ୧୩୧୫ ମିଲର ଧାନ କିଣିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୧୯-୨୦ରେ ୭୦.୫୬ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ୨୨୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବେ। ଗତବର୍ଷ ୧୯୯ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରାୟ ୨.୩୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରି କମିଶନି ବାବଦରେ ୭୨୧ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରୁ ଏହି ସୂଚନା ମିଳିଛି। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି. ଯାଦବ ଧାନକିଣା ପାଇଁ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରସ୍ତୁତିର ସମୀକ୍ଷା କରି ଧାନକିଣା କେନ୍ଦ୍ର ଓ ମଣ୍ଡିରେ ମୌଳିକ ସୁବିଧା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାରଭିତ୍ତିରେ ଧାନ ସଂଗ୍ରହ କରିବା ସହ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ପଇଠ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର ୧ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଆଦି ଜିଲାରୁ ଧାନ ସଂଗ୍ରହ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଜିଲାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ କମିଟି କାର୍ଯ୍ୟ କରୁଛି। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, କୃଷି ଓ କୃଷକ ସଶକ୍ତୀକରଣ ସଚିବ ସୌରଭ ଗର୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି ଯାଦବ ପ୍ରମୁଖ ଯୋଗ ଦେଇଥିଲେ।

Share