ଧାନ ଉଠାଣରେ ମନ୍ଥର, ଚାଷୀ ଅସନ୍ତୋଷ

କୋକସରା, ୧୫।୧୨ (ଡି.ଏନ.ଏ.): ଟୋକାନ ମିଳିଛି ହେଲେ ଟାର୍ଗେଟ ନାହିଁ, ସପ୍ତାହ ସପ୍ତାହ ଧରି ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ। କେବେ ଧାନ ଉଠିବ ହେସି ଅପେକ୍ଷା କରିଛନ୍ତି ଚାଷୀ। କଳାହାଣ୍ଡି ଜିଲା କୋକସରା ମଣ୍ଡିରେ ଏହିଭଳି ପରିସ୍ଥିତି ଦେଖାଦେଇଛି। ଧାନ ଉଠାଣରେ ମନ୍ଥର ଦେଖାଦେଇଥିବା ବେଳେ କୌଣସି ଯୋଗାଣ ବିଭାଗ ଅଧିକାରୀ କି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝିବାକୁ ଆସୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସୂଚନା ଅନୁସାରେ କୋକସରା ମଣ୍ଡିରେ ଗତ ମାସ ୧୬ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଏହି ମଣ୍ଡିରେ ଧାନ ବିକ୍ରି ପାଇଁ କୋକସରା, ରେଙ୍ଗାଳପାଲି ଓ ମାଝିଗୁଡା ପଞ୍ଚାୟତ ୧୧୧୯ଜଣ ଚାଷୀ ଅନଲାଇନରେ ପଞ୍ଜୀକରଣ କରିଛନ୍ତି। ରବିବାର ସୁଦ୍ଧା ୩୧୬ଜଣ ଚାଷୀଙ୍କ ୨୩୨୧୭ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ଅନ୍ୟପଟେ କୋକସରା ମଣ୍ଡିକୁ ପ୍ରଥମ ପର୍ଯ୍ୟାୟରେ ୩୫୦୦୦ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୫ଟି ମିଲକୁ ଧାନ କିଣିବା ପାଇଁ ନିୟୋଜିତ କରାଯାଇଥିଲା। ସେଥିମଧ୍ୟରୁ ଜେକେ ଫୁଡ଼ ଓ ଶ୍ରୀ କହ୍ନେୟା ଏଗ୍ରୋ ପ୍ରଡକ୍ଟ ମିଲର ଟାର୍ଗେଟ ସରିଥିବା ବେଳେ ଏବେ କେବଳ ଗଣପତି ରାଇସ ମିଲ, ବଜରଙ୍ଗ ରାଇସ ମିଲ ଓ ବିଜୟ ଲକ୍ଷ୍ମୀ ପେଡି ଏଗ୍ରୋର ଟାର୍ଗେଟ ରହିଛି। ପ୍ରତିଦିନ ମଣ୍ଡିକୁ ୨୫୦୦ ରୁ ୩୦୦୦ କୁଇଣ୍ଟାଲ ଧାନ ଏଣ୍ଟ୍ରି ହେଉଥିବା ବେଳେ ସେହି ମାତ୍ରାରେ ଧାନ କ୍ରୟ ହେଉନାହିଁ। ମିଲଗୁଡିକ ଧାନ କ୍ରୟରେ ମନ୍ଥରତା ଦେଖାଇ ପ୍ରତିଦିନ ୭ ଶହରୁ ୮ ଶହ କୁଇଣ୍ଟାଲ ଧାନ ଉଠାଉ ଥିବାରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠୁନାହିଁ। ଚାଷୀଙ୍କୁ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ମଣ୍ଡିକୁ ଧାନ ଆଣିଥିବା ଚାଷୀ ଅଭିଯୋଗ କରିଛନ୍ତି। ୨ ମିଲର ଟାର୍ଗେଟ ବଢ଼ାଇବା ସହ ଧାନ କିଣାକୁ ସକ୍ରିୟ କରିବାକୁ ଚାଷୀ ଦାବି କରିଛନ୍ତି, ନଚେତ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏ ନେଇ କୋକସରା ପ୍ୟାକ୍ସ ସମ୍ପାଦକ ନିରଞ୍ଜନ ବାଗଙ୍କୁ ପଚାରିବାରୁ ୨ ମିଲର ଟାର୍ଗେଟ ସରିଯାଇଛି, ଏଣୁ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ଦେଖାଦେଇଛି। ଆମେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ। ଆଗକୁ ଆହୁରି ୨ ମିଲ ବଦଳରେ ୪ ମିଲକୁ ଧାନ କ୍ରୟ ପାଇଁ କୋକସରା ମଣ୍ଡିରେ ଟେଗ କଲେ ଧାନ କ୍ରୟ ପାଇଁ ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି।

Share