ଖପ୍ରାଖୋଲ,୨୫।୧୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା କୃଷି ସମବାୟ ସମିତି ଜୁରିଆ ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ଶହଶହ ବସ୍ତା ଧାନ। ଏହି ମଣ୍ଡିରେ ଚଳିତ ବର୍ଷ ୮୦୯ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫୫୦୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ଆସିଥିଲା। ଟୋକନ ପାଇଥିବା ଚାଷୀ ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିଛି। ହେଲେ ତାହା ଉଠି ପାରୁନାହିଁ। ଫଳରେ ଧାନବସ୍ତା ସବୁ ଗଦା ହୋଇ ରହିଛି। ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥିବାରୁ ଏହି ହାଡଭଙ୍ଗା ଶୀତରେ ସେସବୁକୁ ଜଗି ବସିଛି ଚାଷୀ।
ଏହି ମଣ୍ଡିରେ ପ୍ରାୟ ୮୦ହଜାର କୁଇଣ୍ଟାଲ ଧାନ ବିକ୍ରି ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୪୨୫୪୮ କୁଇଣ୍ଟାଲ ପାଇଁ ଚାଷୀ ଟୋକନ ପାଇ ସାରିଛନ୍ତି। ୮୦୯ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୪୦ ଜଣ ଚାଷୀ ଧାନ ବିକ୍ରି କରିସାରିଛନ୍ତି। ଆହୁରି ଅନେକ ଚାଷୀ ବିକ୍ରି ଅପେକ୍ଷାରେ ରହିଛନ୍ତି। ପୂର୍ବରୁ ଆସିଥିବା ଟାର୍ଗେଟ ମଧ୍ୟରୁ ମାତ୍ର ୮୩୪ କୁଇଣ୍ଟାଲ ବାକିଥିବା ବେଳେ ଶହଶହ କୁଇଣ୍ଟାଲ ଧାନ ବାହାରେ ପଡିରହିଛି। କେତେକ ମିଲର୍ସଙ୍କ କଟନି ଛଟନି ଏବଂ ମନମାନୀ ସହିତ ଠିକ୍ ସମୟରେ ଗାଡି ପଠାଉ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚଅଁରିଆ ପଞ୍ଚାୟତର ସବ୍ୟସାଚୀ ମେହେର, ରାଜେଶ ମେହେର, ନବୀନ ମେହେର, ଚନ୍ଦ୍ରଭାନୁ ପୁଟେଲ, ସୁପାଲ ବାଗ, ଉଗ୍ରେସନ ବଗାର, ଲକ୍ଷ୍ମଣ ବଗାର, ଅଶୋକ ମେହେର, ଚିତ୍ରସେନ ମେହେର ପ୍ରମୁଖ ଟୋକନ ପାଇଥିଲେ ମଧ୍ୟ ନିଜ ଧାନ ବିକ୍ରି କରି ପାରୁ ନ ଥିବା କହିଛନ୍ତି। ଯୋଗାଣ ବିଭାଗ ମଣ୍ଡିର ବିକ୍ରି ଟାର୍ଗେଟ ବଢାଇବା ସହ ପଡିରହିଥିବା ଧାନ ତୁରନ୍ତ ଉଠାଇବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ପାଟଣାଗଡ ଉପଜିଲାପାଳ ସୋମନାଥ ପ୍ରଧାନଙ୍କୁ ପଚାରିବାରୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ପଠାଇ ତୁରନ୍ତ ସମସ୍ୟାର
ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।