ଗଞ୍ଜାମ,୩।୫(ଡି.ଏନ୍.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି।
ମିଳିଥିବା ସୂଚନା ମୁତାବକ, ସାନ ରାମଚନ୍ଦ୍ରପୁର ଗ୍ରାମର ଲୋକନାଥ ପାତ୍ର ଖଳାରେ ଧାନଗଦା କରି ରଖିଥିଲେ। ଏପରି କି ଖଳାରେ ତାଙ୍କର ଏକ ପାଳଗଦା ମଧ୍ୟ ରହିଥିଲା। ହେଲେ ବଜ୍ରପାତ ଘଟି ସେଥିରେ ନିଆଁ ଲାଗିଯାଇଥିଲା।
ଖବର ପାଇ ରମ୍ଭାଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷେ ଧାନ ଓ ପାଳଗଦା ଜଳି ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଧାନଗଦାରୁ ପ୍ରାୟ ୫୦ ବସ୍ତା ଧାନ ବାହାରିଥାନ୍ତା ବୋଲି ଲୋକନାଥ କହିଛନ୍ତି।