ଧନୀ ଅଭିନେତା ଶାହରୁଖ୍‌: ମୋଟ ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ‘ହୁରୁନ ଇଣ୍ଡିଆ ରିଚ୍‌ ଲିଷ୍ଟ-୨୦୨୪’ର ଧନୀ ଭାରତୀୟ ଅଭିନେତାଙ୍କ ତାଲିକାରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ୭,୩୦୦ କୋଟିର ସମ୍ପତ୍ତି ସହ ଶାହରୁଖ୍‌ ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ ରାଇଡର୍ସ ଓ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ନାମକ ପ୍ରଡକ୍ସନ କମ୍ପାନୀ ଯୋଗୁ ଶାହରୁଖଙ୍କ ସମ୍ପତ୍ତି ବଢ଼ିଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି। ଶାହରୁଖ କୋଲକାତା ନାଇଟ ରାଇଡର୍ସର ମାଲିକ ହୋଇଥିବାବେଳେ ସେ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ କମ୍ପାନୀର ଏମ୍‌ଡି ମଧ୍ୟ ରହିଛନ୍ତି। ସେହିପରି ଶାହରୁଖ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ଏହାର ସହ ପ୍ରତିଷ୍ଠାତା ରହିଛନ୍ତି। ଏହି ପ୍ରଡକ୍ସନ କମ୍ପାନୀର ବ୍ୟାନର୍‌ରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଶାହରୁଖଙ୍କ ବ୍ୟତୀତ ଏହି ତାଲିକାରେ ବହୁ ବଲିଉଡ୍‌ କଳାକାର ମଧ୍ୟ ସ୍ଥାନ ପାଇଛନ୍ତି। ଅଭିନେତ୍ରୀ ତଥା ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ ରାଇଡର୍ସର କୋ-ଓନର ଜୁହି ଚାଓ୍ବଲା ୪୬୦୦ କୋଟିର ସମ୍ପତ୍ତି ସହ ବଲିଉଡର ଦ୍ୱିତୀୟ ସବୁଠାରୁ ଧନୀ ଷ୍ଟାର ହୋଇପାରିଛନ୍ତି। ୨ ହଜାର କୋଟିର ସମ୍ପତ୍ତି ସହ ଅଭିନେତା ହ୍ରିତିକ ରୋଶନ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ୧,୬୦୦ କୋଟିର ସମ୍ପତ୍ତି ସହ ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅମିତାଭ ବଚ୍ଚନ ଚତୁର୍ଥ ସ୍ଥାନରେ ରହିଛନ୍ତି। ୧,୪୦୦ କୋଟିର ସମ୍ପତ୍ତି ସହ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହର ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।

Share