Categories: ଫୁରସତ

ମନରେ ଧନୀ

ଧନ ସମସ୍ତଙ୍କ ପାଖେ ନ ଥାଏ କିନ୍ତୁ ମନ ଥିଲେ ଧନର ଅଭାବ ହୁଏନି ବୋଲି ଓଡ଼ିଆରେ ଗୋଟେ କଥା ଅଛି; ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଏମିତି କେତେଜଣ ମଣିଷ। ଯାହାଙ୍କ ପାଖେ ପ୍ରଚୁର ଧନ ନାହିଁ ସତ କିନ୍ତୁ ମନରେ ସେମାନେ କେଉଁ କୋଟିପତିଠାରୁ କମ୍‌ ନୁହନ୍ତି। ସୁରୁଖୁରୁରେ ନିଜ ସଂସାର ଚଳାଇବା ପାଇଁ ପର୍ଯ୍ୟାପ୍ତ ଧନ ଏମାନଙ୍କ ପାଖେ ନାହିଁ ସତ କିନ୍ତୁ ଗରିବ, ଅସହାୟଙ୍କ ସାହାଯ୍ୟ କଥା ହେଉ କି ସାମୂହିକ ସ୍ବାର୍ଥ କଥା ଆସୁ ଏମାନେ ହିଁ ପ୍ରଥମେ ଆଗକୁ ଆସନ୍ତି, ସାହାଯ୍ୟର ହାତ ବଢ଼ାନ୍ତି। ନିଜ ପରିବାରର ଆର୍ଥତ୍କ ସ୍ଥିତି ଏମାନଙ୍କୁ ବ୍ୟଥିତ କରେନା, ବରଂ ବ୍ୟଥିତ କରେ ଲୋକଙ୍କ ସମସ୍ୟା। ସେହିମାନଙ୍କ ଭିତରୁ କିଛି ମଣିଷଙ୍କ ସମ୍ପର୍କରେ…
ଜଳ ପୁରୁଷ ଦୈତାରୀ
ବାଂଶପାଳ ବ୍ଲକ ଅନ୍ତର୍ଗତ ତଳବୈତରଣୀ ଗ୍ରାମର ଲୋକମାନେ ଚାଷ ସହିତ ବଣଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ଜଳସେଚନର କୌଣସି ବ୍ୟବସ୍ଥା ନ ଥିବାରୁ ଚାଷ ପାଇଁ କେବଳ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି, ଯେଉଁଥିପାଇଁ ସବୁ ସମୟରେ ଚାଷ କରିବା ସମ୍ଭବ ହୁଏନାହିଁ। ଏହି କଥା ସେଠାକାର ଜଣେ ମଣିଷଙ୍କୁ ଖୁବ୍‌ ବାଧୁଥିଲା। ଆଉ ସେ ତିନି ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ପ୍ରାୟ ତିନି କିମି ଦୂରରୁ ପାହାଡ କାଟି ନିଜ ଉଦ୍ୟମରେ କେନାଲ ଖୋଳି ଜଳସେଚନର ବ୍ୟବସ୍ଥା କଲେ। ସେ ହେଲେ ଜଳପୁରୁଷ ପଦ୍ମଶ୍ରୀ ଦୈତାରୀ ନାଏକ। ଆଗରୁ ଏଠାକାର ଅଧିବାସୀ କେବଳ ବର୍ଷାପାଣି ଉପରେ ନିର୍ଭର କରି ଚାଷକାର୍ଯ୍ୟ କରୁଥିଲେ। ଏବେ କେନାଲ ଖୋଳିବା ପରେ ବର୍ଷର ଅନ୍ୟ ସମୟରେ ମଧ୍ୟ ଚାଷକାର୍ଯ୍ୟ ସୁରୁଖୁରୁରେ ହୋଇପାରୁଛି। ଏହି କେନାଲ ଖୋଳିବା ପାଇଁ ଦୈତାରୀଙ୍କୁ ତିନି ବର୍ଷ ଲାଗିଥିବା ବେଳେ ନାନା ବାଦ ଅପବାଦ ବି ଶୁଣିବାକୁ ପଡ଼ିଥିଲା ା ତଥାପି ହାରି ନ ଯାଇ ପାହାଡ଼ିଆ ଅଞ୍ଚଳରେ କେନାଲ ଖୋଳାଇ ଲୋକଙ୍କୁ ପାଣି ସମସ୍ୟାରୁ ମୁକ୍ତ କରାଇଥିଲେ। ୨୦୧୬ ମସିହାରେ ସାମାଜିକ କ୍ଷେତ୍ରରେ ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ।
ପେନ୍‌ସନ ଅର୍ଥରେ ପୋଲ ନିର୍ମାଣ
ନିଜ ପେନସନ ଅର୍ଥରେ ଗାଁ ଲୋକଙ୍କ ବର୍ଷବର୍ଷର ଯାତାୟାତର ସମସ୍ୟାକୁ ସମାଧାନ କରିବା ପାଇଁ ସାଳନ୍ଦୀ ନଦୀରେ ତିଆରି କରିଛନ୍ତି ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ। ସେ ହେଲ କେନ୍ଦୁଝର ଜିଲା, ହାଟଡିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ କାନପୁର ଗ୍ରାମର ୬୫ ବର୍ଷ ବୟସ୍କ ଗଙ୍ଗାଧର ରାଉତ। ଯିଏ ସମସ୍ତଙ୍କ ପାଖେ ବ୍ରିଜମ୍ୟାନ ଭାବେ ପରିଚିତ। ଗଙ୍ଗାଧର କୁହନ୍ତି, ‘ ପିଲାବେଳୁ ଦେଖି ଆସିଛି ବର୍ଷାଦିନରେ ଆମ ଗାଁ କାନପୁରର ଲୋକେ ସାଳନ୍ଦୀ ନଦୀ ଆରପଟେ ଥିବା ଚାଷଜମିକୁ ଯାଇପାରୁ ନ ଥିଲେ। ନଦୀ ଆରପଟ ଗାଁରେ ଥିବା ଲୋକେ ଆମ ଗାଁକୁ ଆସି ପାରୁ ନ ଥିଲେ। ପୋଲ ନିର୍ମାଣ ପାଇଁ ଲୋକମାନେ ବାରମ୍ବାର ଦାବି କରିବା ସତ୍ୱେ ସରକାରୀ ସ୍ତରରେ ନିର୍ମାଣ ହୋଇ ପାରିଲା ନାହିଁ। ପରେ ସ୍ଥାନୀୟ ଟ୍ରକ ଆସୋସିଏସନ୍‌, ବିଧାୟକ, ହାଟଡିହି ବ୍ଲକ ପ୍ରଶାସନ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବ୍ରିଜ୍‌ କରିବାକୁ। ହେଲେ ଟଙ୍କା ଠିକ୍‌ରେ ବିନିଯୋଗ ନ ହୋଇପାରିବାରୁ ମାତ୍ର ୬୦ ଫୁଟ୍‌ କାମ ହୋଇ ରହିଯାଇଥିଲା। ଶେଷରେ ମୁଁ ଏହି ବ୍ରିଜ୍‌ କରିବାକୁ ନିଷ୍ପତ୍ତି ନେଲି। ଯାହା ଟଙ୍କା ଆବଶ୍ୟକ ହେଲା ମୁଁ ମୋ ନିଜ ହାତରୁ ଖର୍ଚ୍ଚ କରି ୨୦୧୮ ଫେବୃୟାରୀରେ ବ୍ରିଜ କାମ ଆରମ୍ଭ କଲି। ଏଥିରେ ମୁଁ ପାଖାପାଖି ୧୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଛି। ସରକାର କିମ୍ବା ଗ୍ରାମବାସୀ କାହାର ସହଯୋଗ ପାଇ ନାହିଁ। ୨୦୧୯ରେ ବ୍ରିଜ୍‌ କାମ ସରିଲା। ଏଥିରେ ମୋର ସବୁ ପେନ୍‌ସନ୍‌ ଓ ଗ୍ରାଚୁଟି ଟଙ୍କା ବିନିଯୋଗ କଲି। ୨୦୨୦, ମେ ମାସରେ ଏହି ପୋଲକୁ ଲୋକର୍ପଣ କରାଗଲା। ହେଲେ ବ୍ରିଜ୍‌ର ଉଭୟ ପାର୍ଶ୍ୱକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରୋଡ ନ ଥିଲା। କେବଳ ଚାଲି ଚାଲି ଯାଇ ହେଉଥିଲା ଗାଡି ଯାଇପାରୁ ନ ଥିଲା। ତେଣୁ ଆପ୍ରୋଚ ରୋଡ ତିଆରି ପାଇଁ ରାଜନେତା ଓ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କରା ନ ଯିବାରୁ ଶେଷରେ ମୁଁ ପୁଣି ଥରେ ଅଣ୍ଟା ଭିଡିଲି ଏହାକୁ ତିଆରି କରିବାକୁ। ନୂଆଦିଲ୍ଲୀଠାରେ ସମ୍ମାନୀତ ହୋଇ ପାଇଥିବା ଏକ ଲକ୍ଷ ଟଙ୍କାକୁ ପୋଲର ଗୋଟିଏ ପଟ ଆପ୍ରୋଚ ରୋଡ ନିର୍ମାଣରେ ଖର୍ଚ୍ଚ କରିଥିଲି। ୨୦୧୯ରେ ଜିନ୍ଦଲ୍‌ କମ୍ପାନୀ ମତେ ସମ୍ମାନିତ କରି କିଛି ଅର୍ଥ ପ୍ରଦାନ କରିଥିଲେ। ସେ ଟଙ୍କାକୁ ବି ପୋଲ ତିଆରିରେ ବିନିଯୋଗ କରିଦେଇଥିଲି। ଏବେ ଦୁଇ ପଟର ଆପ୍ରୋଚ ରୋଡର କାମ ସରିଯାଇଛି। ଏହି ବ୍ରିଜ ଉପରେ ଏବେ ଭାରିଯାନକୁ ବାଦ୍‌ ଦେଇ ସବୁ ଗାଡିମଟର ଯାଇପାରୁଛି। ଯାହା ମତେ ବେଶ୍‌ ଆତ୍ମସନ୍ତୋଷ ଦେଉଛି।
ସ୍ତ୍ରୀଙ୍କ ଗହଣା ବିକି ତିଆରି କଲେ କାଠବ୍ରିଜ୍‌
ଯାହା ସରକାରଙ୍କ ପାଇଁ କରିବା ସମ୍ଭବ ହେଲାନି ତାହା କରିଦେଖାଇଲେ ରଞ୍ଜିତ ନାୟକ। ପେସାରେ ଟ୍ରକ୍‌ ଡ୍ରାଇଭର ଥିବା ରଞ୍ଜିତ ନିଜ ପତ୍ନୀଙ୍କ ଗହଣା ବିକି ଶେଷରେ ଲୋକଙ୍କ ଯା’ଆସ ପାଇଁ କଲେ ରାସ୍ତା ଓ କାଠର ବ୍ରିଜ୍‌। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ୮୦ରୁ ଊଦ୍ଧର୍‌ବ ଗ୍ରାମକୁ ରାସ୍ତା ନ ଥିବା ବେଳେ ଗୁଞ୍ଜରାମ ପଞ୍ଜରା ଗାଁର ବି ସେଇ ଏକା
ଅବସ୍ଥା ଥିଲା। ରାସ୍ତା ନା ଥିବାରୁ ଆଖପାଖ ପ୍ରାୟ ୨୦ରୁ ଊଦ୍ଧର୍‌ବ ଗାଁର ଲୋକେ ହଇରାଣ ହେଉଥିଲେ। କାହିଁକି ନା ଏହା କଳାହାଣ୍ଡି ତଥା ନବରଙ୍ଗପୁର ଜିଲାକୁ ଲାଗିକି ରହିଛି। ଯେଉଁକଥା ଖୁବ୍‌ ବାଧିଥିଲା ରଞ୍ଜିତଙ୍କୁ। ଖୁବ୍‌ ଛୋଟବେଳୁ ସେ ଏହା ଦେଖିଆସୁଥିଲେ। ଆଉ ମନେମନେ ପ୍ରତିଶ୍ରୁତିବଦ୍ଧ ହେଉଥିଲେ ଯେମିତି ହେଲେ ଦିନେ ସେ ରାସ୍ତା ଓ ବ୍ରିଜ୍‌ କରିବେ। ପେସାରେ ଡ୍ରାଇଭର ଥିବାରୁ ଆର୍ଥିକ ଅବସ୍ଥା ବି ସ୍ବଚ୍ଛଳ ନ ଥିଲା। କିନ୍ତୁ ବ୍ରିଜ୍‌ କରିବାର ସ୍ବପ୍ନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ରଞ୍ଜିତ କୁହନ୍ତି, ‘ପିଲାଟିଦିନୁ ପାଠ ପଢ଼ିବାର ଇଚ୍ଛା ଥିଲେ ସୁଦ୍ଧା ଆର୍ଥିକ ପରିସ୍ଥିତି ଠିକ୍‌ ନ ଥିବାରୁ ବାପା ପଢ଼ାଇପାରିବେ ନାହିଁ ବୋଲି କହିଲେ। ପ୍ରଥମେ ଶ୍ରମିକ ଭାବେ ନିର୍ମାଣ କାର୍ଯ୍ୟ କରୁଥିଲି। ମୋ ଉପରେ ୭ ଜଣ ନିର୍ଭର କରନ୍ତି। ଘରର ଆର୍ଥିକ ସ୍ଥିତି ଖୁବ୍‌ ଦୁର୍ବଳ। ନା ଭଲ ଘରଟିଏ ଥିଲା ନା ଖାଇବାକୁ ଥିଲା। ଏମିତି କଷ୍ଟେମଷ୍ଟେ ଘର ଚଳାଇବା ଭିତରେ ମୁଁ କିନ୍ତୁ ସ୍ବପ୍ନ ଦେଖୁଥିଲି ଯେମିତି ବି ହେଉ ଲୋକଙ୍କର ଏଇ ଯିବା ଆସିବା ଅସୁବିଧା ଦୂର କରିବି। ଯାହା ବି ହେଉ ବ୍ରିଜ୍‌ ନିର୍ମାଣ କରିବି। କାରଣ ଦୀର୍ଘ ୨୦ ବର୍ଷ ହେଲାଣି ଦେଖୁଛି ନେତା, ମନ୍ତ୍ରୀ, ସରପଞ୍ଚ କି ସମିତିସଭ୍ୟ କାହାକୁ ବି ଗୁହାରି କଲେ କିଛି ଫଳ ମିଳୁନି। ଏପଟେ ମୋ ପାଖରେ ବ୍ରିଜ୍‌ ତିଆରି ପାଇଁ ପଇସା ବି ନାହିଁ। ମୂଲମଜୁରି ଲାଗି ସଂଚିଥିବା ୪୦ ହଜାର ଟଙ୍କା ପ୍ରଥମେ ଖର୍ଚ୍ଚ କଲି। ପୁଣି ଟଙ୍କା ଦରକାର ପଡ଼ିବାରୁ ନିଜ ସ୍ତ୍ରୀର ଗହଣା ବିକ୍ରିକରି ୩୦ ହଜାର ଟଙ୍କା ଖର୍ଚ୍ଚ କରି ବ୍ରିଜ୍‌ ନିର୍ମାଣ କଲି। ପ୍ରଥମେ ତ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। କିନ୍ତୁ ମୁଁ ବୁଝେଇଲି ଯେ, ଏହି ପଇସାରେ ଆମର ରାସ୍ତା ହେବ। ଏଇଥିପାଇଁ ପିଲାଦିନୁ ବହୁତ କଷ୍ଟ ଭୋଗିଛୁ । ଏଥିରେ ଅନେକ ଲୋକଙ୍କ ଉପକାର ହେବ। ମୋ କଥା ଘରେ ବୁଝିଲେ। ବାପା ବି ବ୍ରିଜ୍‌ କାର୍ଯ୍ୟରେ ସହଯୋଗ କଲେ। ଏଥିପାଇଁ ମୁଁ କାହାଠୁ କିଛି ଆର୍ଥିକ ସାହାଯ୍ୟ ମାଗିନି। ମୁଁ ଭାବେ ମଣିଷ ଏପରି କାମ କରିବା ଦରକାର, ଯାହାକୁ ମଲା ପରେ ବି ଲୋକମାନେ ମନେରଖିବେ।
ଏକଥା ବି ଭାବୁଛି ଯେ କେତେବେଳେ ବର୍ଷା ହେଲେ ଏହା ଧୋଇ ହୋଇଯିବ, ମୋ ପରିଶ୍ରମ ବୃଥା ଯିବ। ତେଣୁ ସରକାରଙ୍କ ତରଫରୁ କିଛି ସହଯୋଗ ମିଳିଲେ ସେଥିରେ ତାରବାଡ଼ କରିଥାନ୍ତି। ମୋ ପାଖରେ ଆଉ ଟଙ୍କା ନାହିଁ । ଦେଖିବି କେମିତି ଅଧିକ କାମ କରି ପରିବାର ଖର୍ଚ୍ଚରୁ ବଞ୍ଚାଇ ପୁଣି ପୋଲ ପାଇଁ ସଞ୍ଚୟ କରିବି। କେବଳ ସମସ୍ତଙ୍କ ଯା’ଆସର ସୁବିଧା ପାଇଁ ରଂଜିତ ବାପାଙ୍କ ସହ ମିଶି ତିନୋଟି କାଠପୋଲ ସହ ୪ କିମି ରାସ୍ତା ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ନା ଗ୍ରାମବାସୀଙ୍କଠାରୁ ସାହାଯ୍ୟ ନା ସରକାରଙ୍କ ତତଫରୁ କୌଣସି ସହାୟତା ମିଳି ନ ଥିବା ଉକ୍ତ ଗ୍ରାମର ଲୋକେ କହିଛନ୍ତି । ତିନି ମାସର ଅକ୍ଳାନ୍ତ ପରିଶ୍ରମରେ ନିର୍ମିତ ଏହି ବ୍ରିଜ୍‌ରେ ବର୍ତ୍ତମାନ ଲୋକେ ଖୁସିରେ ଯିବା ଆସିବା କରୁଛନ୍ତି। କାରଣ ପୂର୍ବରୁ ଯେତେବେଳେ ନଦୀ ପାର ହୋଇ ଯାଉଥିଲେ ସେତେବେଳେ ନଦୀରେ ପଡ଼ି ଅନେକ ଲୋକ ଆହତ ହେଉଥିବା ବେଳେ ଗର୍ଭବତୀଙ୍କୁ ଅସୁରକ୍ଷିତ ଭାବେ ଖଟିଆରେ ନିଆଯାଉଥିଲା, ଯାହାର ସମାଧାନ ଏବେ ରଞ୍ଜିତ କରିପାରିଛନ୍ତି।
ଭିକ୍ଷା କରି ଦାନ ଦେଲେ ଲକ୍ଷେ ଟଙ୍କା
ନିଜର ଲୋକ ସବୁ ଚାଲି ଗଲେଣି। ରହିବା ପାଇଁ ଘର ନାହିଁ। ଶୋଇବା ଲାଗି ଖଟ କଥା ଛାଡ, ସପ ଟିଏ ବି ନାହିଁ। ବୃତି ଭିକ୍ଷା ମାଗି ଚଳିବା। ହେଲେ ଭିକ୍ଷା ମାଗି ସଂଚିତ କରି ରଖି ଥିବା ଲକ୍ଷେ ଟଙ୍କାକୁ ସେ ଜଗନ୍ନାଥଙ୍କୁ ଦାନ କରି ଦେଇଛନ୍ତି। ସେ ହେଲେ କନ୍ଧମାଳ ଜିଲା ଫୁଲବାଣୀ ସହରରେ ଭିକ୍ଷାବୃତ୍ତି କରୁଥିବା ୭୦ ବର୍ଷୀୟା ତୁଳା ବେହେରା।
ତୁଳାଙ୍କ କହିବା ଅନୁସାରେ କଟକ ଜିଲା ଚାଉଳିଆଗଂଜରେ ତାଙ୍କ ଘର। ଯେତବେଳେ ତାଙ୍କ ଅଂଚଳରେ ଅମିନମାନେ ଜମି ମାପଚୁପ କରୁଥିଲେ ସେତେବେଳେ ତାଙ୍କ ରୋଷେଇଆ ପ୍ରଫୁଲ୍ଲ ବେହେରାଙ୍କୁ ଭଲ ପାଇ ତାଙ୍କ ସହ ଫୁଲବାଣୀର ଦୁବଗଡ ଗ୍ରାମକୁ ଚାଲି ଆସିଥିଲେ। ଉଭୟ ବିବାହ କରିବା ପରେ ଜଙ୍ଗଲରୁ କାଠ ବିକ୍ରି କରି ଚଳୁଥିଲେ। କିଛି ବର୍ଷ ପରେ ସେମାନଙ୍କର ଗୋଟିଏ ଝିଅ ହୋଇଥିଲା। ଇତି ମଧ୍ୟରେ ପ୍ରଫୁଲ୍ଲ ନିଶାଶକ୍ତ ହୋଇଯାଇଥିଲେ। ପରିବାର ଚଳିବାରେ ଅସୁବିଧା ହେବାରୁ ସପରିବାର ଫୁଲବାଣୀ ଚାଲି ଆସି ତୁଳା ଏବଂ ତାଙ୍କ ସ୍ବାମୀ ପ୍ରଫୁଲ୍ଲ ଭିକ୍ଷା ବୃତିକୁ ଆଦରି ନେଇଥିଲେ।
ନିଜ ଝିଅକୁ ଫୁଲବାଣୀର ବେଣାପାଜୁ ଗ୍ରାମରେ ବିବାହ ଦେଇଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ପୁଅ ହୋଇଥିଲା। କିଛି ଦିନ ପରେ ତୁଳାଙ୍କ ଝିଅ ମୃତ୍ୟୁ ବରଣ କଲେ। ଏହାର କିଛି ବର୍ଷ ପରେ ସ୍ବାମୀଙ୍କ ଦେହାନ୍ତ ହେଲା। ଭିକ୍ଷା ବୃତିରୁ ମିଳୁଥିବା ଟଙ୍କାରେ ନାତି ନାତୁଣୀଙ୍କୁ ପାଠ ବି ପଢ଼ାଇଲେ। ବିଧିର ବିଧାନ ଥିଲା ଅଲଗା। ନାତୁଣୀର ଦେହ ଖରାପ ହୋଇ ସେ ବି ଆର ପାରିକୁ ଚାଲିଗଲା। ନାତି ଏବେ ବିବାହିତ। ହେଲେ ସେ ଏବେ ପଚାରୁ ନାହିଁ। ଶେଷରେ ସେ ନିଷ୍ପତି ନେଲେ ଯାହା ଦେଇଛି କାଳିଆ। ତାଙ୍କର ବା ଟଙ୍କା କ’ଣ ହେବ। ଧିରେ ଧିରେ ସଂଚୟ ବଢ଼ାଇ ଶେଷରେ ଲକ୍ଷେ ଟଂକା ହେବା ପରେ ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ଦାନ କଲେ। ଏହି ଟଂକାରେ ପୁରୁଣା ଜଗନ୍ନାଥ ମନ୍ଦିରର ମରାମତି କରିବାକୁ ସେ ମନ୍ଦିର କମିଟିକୁ ନିବେଦନ କରିଛନ୍ତି। ଦୀର୍ଘ ୪୦ ବର୍ଷ ହେବ ସେ ଫୁଲବାଣୀ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗୁଛନ୍ତ। ଜଣେ ପରିବା ବ୍ୟବସାୟୀ ତାଙ୍କୁ ୩ ବେଳା ଖାଇବାକୁ ଦେଉଛନ୍ତି। ଆଗାମୀ ଦିନରେ ମଧ୍ୟ ଯାହା ଟଂକା ହେବ, ସେ ଜଗନ୍ନାଥଙ୍କୁ ଦେବେ ବୋଲି କହିଛନ୍ତି।
ଡାକ୍ତର ଶଙ୍କର ରାମଚନ୍ଦାନି
ସେବାର ଅନ୍ୟ ନାମ ଡାକ୍ତର ଶଙ୍କର ରାମଚନ୍ଦାନି। ରୋଗୀଙ୍କ ସେବାକୁ ସେ ବ୍ରତ କରିଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ଗରୀବ, ନିଷ୍ପେଷିତ ରୋଗୀମାନଙ୍କର ସେ ପ୍ରକୃତ ବନ୍ଧୁ। ଏକ ଟଙ୍କିଆ କ୍ଳିନିକ, ଏକ ଟଙ୍କିଆ ଔଷଧ, ଜୁନାପାଣି କୁଷ୍ଠ କଲୋନୀକୁ ପୌଷ୍ୟ ଗ୍ରହଣ, କୁଷ୍ଠ ରୋଗୀଙ୍କୁ ବୋହି ରାସ୍ତା ପାରିକରିବା, କୁଷ୍ଠ ରୋଗୀମାନଙ୍କ ସହ ଜନ୍ମଦିନ ପାଳନ କରି ସେମାନଙ୍କ ସହ ଏକାଠି ବସି ଭୋଜନ କରିବା ନେଇ ସେ ସମସ୍ତଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହାସହ ଦରମା ଟଙ୍କାରୁ ୩୦ ପ୍ରତିଶତ କମ କରି ସେହି ଟଙ୍କାକୁ ଗରିବ, ଅବହେଳିତ ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ କରିବା ସହ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଡାକ୍ତର ଶଙ୍କରଙ୍କ ଜନ୍ମ ବରଗଡ ଜିଲା ପଦ୍ମପୁରଠାରେ ୧୯୮୨ ମସିହା ଏପ୍ରିଲ ୪ତାରିଖ ଏକ ଗରୀବ ପରିବାରରେ। ମାଆ ରାଜବନ୍ତି ଓ ବାପା ସ୍ବର୍ଗତ ବ୍ରଦ୍ମାନନ୍ଦ ରାମଚନ୍ଦାନୀଙ୍କ ପାଞ୍ଚ ପୁଅ ଓ ଚାରି ଝିଅଙ୍କ ମଧ୍ୟରୁ ଶଙ୍କର ଅନ୍ୟତମ। ପାଞ୍ଚ ଜଣ ଭାଇଙ୍କ ମଧ୍ୟରେ ସେ ସବା ସାନ। ବଡ ପରିବାର ହୋଇଥିବାରୁ ପିଲାବେଳୁ ଶଙ୍କର ଖୁବ୍‌ ମେଧାବୀ ଛାତ୍ର ଥିଲେ। ଅଭାବ ଅସୁବିଧା ସତ୍ତ୍ୱେ ଶେଷରେ ସେ ୨୦୧୪ ମସିହାରେ ହୋଇଥିବା ନିଟ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ପଦ୍ମପୁରରେ ପ୍ରଥମରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ପଢ଼ିବା ପରେ ୨୦୦୪ରେ ଡାକ୍ତରୀ ପାଠ ପଢ଼ା ଶେଷ କଲେ। ଏହାପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏବେ ୩ବର୍ଷ ହେବ ସେ ବୁର୍ଲା ଭୀମସାରରେ ଏସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।
ରୋଗୀ ସେବାରେ ନିଜକୁ ସମର୍ପିତ କରିଥିବା ଡାକ୍ତର ଶଙ୍କର କୁହନ୍ତି , ଜଣେ ଡାକ୍ତରଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ରୋଗୀ ସେବା। ମୁଁ ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭିମସାରରେ ରୋଗୀ ଦେଖେ। ଏହାବାଦ ସଂନ୍ଦ୍ୟା ୬ଟା ରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଏକ ଟଙ୍କିଆ କ୍ଳିନିକରେ ଗରୀବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥାଏ। ଏକ ଟିଙ୍କିଆ କ୍ଳିନିକ ଖୋଳିବାରେ ଅତିତର ଏକ ସ୍ମୃତି ମନେ ପଡେ। ଅଜା ଲକ୍ଷ୍ମଣ ଓ କାକା ପ୍ରକାଶ କର୍କଟ ରୋଗରେ ପିଡିତ ଥିଲେ। ଅର୍ଥ ଅଭାବରୁ ଅଜା ଓ କକାଙ୍କ ଚିକିତ୍ସା କରିବା ଲାଗି ମୋର ବାପାଙ୍କ ପାଖରେ ଅର୍ଥ ନ ଥିଲା। ଯଦ୍ୱାରା କର୍କଟ ରୋଗରେ ଅଜା ଓ କାକାଙ୍କ ପରଲୋକ ହୋଇଗଲା। ସେହି ଦିନରୁ ବାପା ଆମ୍ଭମାନଙ୍କୁ ଡାକ୍ତରୀ ପାଠ ପଢ଼ାଇବାକୁ ପଣ ନେଇଥିଲେ। ପାଞ୍ଚ ଭାଇରୁ ମୁଁ ଓ ମୋର ବଡ ଭାଇ ଡାକ୍ତର ହେବାରେ ସଫଳ ହେଲୁ। କିନ୍ତୁ ପଦ୍ମପୁର ସହରରେ ନର୍ସିଂ ହୋମ ଖେଳାବାକୁ ଆମର ସମ୍ବଳ ନଥିଲା। ସେଥିପାଇଁ ସେବା ମୋନୋଭାବ ନେଇ ୨୦୨୧ ମସିହା ଫେବୃୟାରୀ ୧୨ ତାରିଖରେ ଏକ ଟଙ୍କିଆ କ୍ଳିନିକ ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୨୮ହଜାର ୮ଶହ ୭୧ଜଣ ଗରୀବ ରୋଗୀଙ୍କ ଚିକିତ୍ସା କରାଯାଇଛି। କିନ୍ତୁ ମାସ କରେ ଦୁଇ ଦିନ ଛୁଟି ନେଇ ପଦ୍ମପୁରଠାରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥାଏ। ସଂପ୍ରତି ରୋଗୀମାନଙ୍କୁ ଏକ ଟଙ୍କାରେ ଔଷଧ ଦେବା ମଧ୍ୟ ଆରମ୍ଭ କରିଛି। ନୂତନ ବର୍ଷରୁ ଏକ ଟଙ୍କିଆ ଅଟୋ ସେବା ଆରମ୍ଭ ହେବ। ଯେଉଁ ରୋଗୀମାନେ ଏକଟଙ୍କିଆ କ୍ଳିନିକକୁ ଆସି ପାରିବେ ନାହିଁ, ସେମାନଙ୍କୁ ଏକ ଟଙ୍କିଆ ଅଟୋ ସେବା ପ୍ରଦାନ କରାଯିବକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷେ ମାସିକ ଦରମା ଟଙ୍କାରୁ ୩୦ ପ୍ରତିଶତ କମ କରିବା ନେଇ ୨୦୨୨ ମସିହା ନଭେମ୍ବର ୧୯ ତାରିଖ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି। ଆମକୁ ରାଜ୍ୟ ସରକାର ଚଳିବାକୁ ବହୁତ ଟଙ୍କା ଦେଉଛନ୍ତି। ଯେଉଁଥିରେ ଆମେ ଖୁସିରେ ଚଳୁଛୁ। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗରୀବ ଲୋକମାନେ ଅଛନ୍ତି ଯେଉଁମାନେ ଦୁଃଖରେ ସମୟ କଟାଉଛନ୍ତି। ସେମାନଙ୍କ ସକାଶେ ୩୦ ପ୍ରତିଶତ ଦରମା କାଟିବାକୁ କହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ପ୍ରତିଶତ ଟଙ୍କା କଟାଯାଇ ନାହିଁ। ତେଣୁ ରୋଗୀଙ୍କ ସେବା ଲାଗି କିଛି ଦିନ ତଳେ ୭୦ ହଜାର ଟଙ୍କାର ଔଷଧ କିଣାଯାଇଛି। ଏହି କାର୍ଯ୍ୟ ସକାଶେ ସ୍ତ୍ରୀ ଡାକ୍ତର ଶିଖା ରାମଚନ୍ଦାନୀ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ରୋଗୀ ସେବା ସହ ସ୍ତ୍ରୀ, ଦୁଇ ଯାଆଁଳା ଝିଅ ରିଦ୍ଧି ଓ ରିଆଂଶି ଏବଂ ପରିବାର ସହିତ ବେଶ୍‌ ଖୁସିରେ ଅଛି।

କୁହାଯାଏ, କିଛି ଲୋକଙ୍କ ସହୃଦୟତା ଓ ଭଲ କର୍ମ ପାଇଁ ଏ ଦୁନିଆ ତିଷ୍ଠିଛି; ସତରେ ଦେଖିବାକୁ ଗଲେ ଏହି ମଣିଷମାନେ ହେଉଛନ୍ତି ତାହାର ଗୋଟିଏ ଗୋଟିଏ ଉଦାହରଣ।

-ରୋଜାଲିନ୍‌ ମହାନ୍ତି
ତଥ୍ୟ ସହାୟତା: ନରେଶ ପଟ୍ଟନାୟକ, ବି.ଶଙ୍କର, ରାକେଶ ରାଉତ, ଭାଗ୍ୟଶ୍ରୀ ମିଶ୍ର

Share