Categories: ଖେଳ

ଶର୍ଟଲିଷ୍ଟରେ ରିଚା ଏକମାତ୍ର ଭାରତୀୟ

ଦୁବାଇ, ୨୬ା୨: ଓମେନ୍ସ ଟି୨୦ ଓ୍ବାଲର୍‌ଡ କପ୍‌ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପାଇଁ ଶର୍ଟଲିଷ୍ଟରେ ସ୍ଥାନ ପାଇଥିବା ୯ଜଣ ଖେଳାଳିଙ୍କ ମଧ୍ୟରେ ରିଚା ଘୋଷ ହେଉଛନ୍ତି ଏକମାତ୍ର ଭାରତୀୟ। ଗୁରୁବାର କେପ୍‌ଟାଉନ୍‌ଠାରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆଠାରୁ ୫ ରନରେ ପରାଜିତ ହୋଇ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା। ଦକ୍ଷିଣ ଆଫ୍ରିକାରେ ଏହି ୧୯ବର୍ଷୀୟା ଖେଳାଳି ଫିନିଶର ଭୂମିକା ନିର୍ବାହ କରିଥିଲେ। ଟୁର୍ନାମେଣ୍ଟରେ ସେ ଦୁଇଥର ୪୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ତାଙ୍କର ଇଂଲଣ୍ଡ ବିପକ୍ଷରେ ଅପରାଜିତ ୪୭ ରନ ଅନ୍ୟତମ। ତାଙ୍କର ଏହି ଇନିଂସ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଟୁର୍ନାମେଣ୍ଟରେ ରିଚା ଖେଳିଥିବା ୫ଟି ଇନିଂସ ମଧ୍ୟରୁ ଦୁଇଥର ଆଉଟ ହୋଇଥିଲେ। ଏହି ଆକ୍ରମଣାତ୍ମକ ଖେଳାଳିଙ୍କ ଷ୍ଟ୍ରାଇକ୍‌ରେଟ୍‌ ୧୩୦ରୁ ଅଧିକ ରହିଥିଲା। ଓଭରଅଲ୍‌ ସେ ୬୮ ଆଭରେଜରେ ୧୬୮ରନ ସଂଗ୍ରହ କରିଥିଲେ। ସେ ଚମତ୍କାର ଉଇକେଟ କିପିଂ ମଧ୍ୟ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶର୍ଟଲିଷ୍ଟରେ ଅଷ୍ଟ୍ରେଲିଆ ଦଳର ସର୍ବାଧିକ ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ୨ଜଣ ଲେଖାଏ ଏବଂ ଭାରତ ଓ ଓ୍ବେଷ୍ଟଇଣ୍ଡିଜର ଜଣେ ଲେଖାଏ ଖେଳାଳି ଏଥିରେ ରହିଛନ୍ତି। ତାଲିକାରେ ସ୍ଥାନ ପାଇଁ ଅଷ୍ଟ୍ରେଲୀୟ ଖେଳାଳିମାନେ ହେଲେ ମେଗ୍‌ ଲାନିଂ ( ୬୯.୫୦ ଆଭରେଜରେ ୧୩୯ରନ), ଉଇକେଟକିପର ବ୍ୟାଟର ଏଲିସା ହିଲି (୫୭ ଆଭରେଜରେ ୧୭୧ ରନ) ଏବଂ ଅଲରାଉଣ୍ଡର ଆଶ୍‌ ଗାର୍ଡନର (୮୧ରନ ଓ ୯ ଉଇକେଟ)। ସେହିପରି ଇଂଲଣ୍ଡରୁ ଅଲ୍‌ରାଉଣ୍ଡର ନାଟ୍‌ ସ୍କିଭର-ବ୍ରଣ୍ଟ (୭୨ ଆଭରେଜରେ ୨୧୬ ରନ) ଏବଂ ସ୍ପିନର ସୋଫି ଏକ୍ଲେଷ୍ଟୋନ୍‌, ଯିଏକି ୪.୧୫ ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲାଉରା ଓଲ୍‌ଭାଡର୍ଟ ଓ ତାଜ୍‌ମିନ୍‌ ବ୍ରିଟ୍ସଙ୍କୁ ଶର୍ଟଲିଷ୍ଟରେ ସ୍ଥାନ ମିଳିଛି। ଓ୍ବେଷ୍ଟଇଣ୍ଡିଜ ଅଧିନାୟିକା ହେଲି ମାଥ୍ୟୁସ ମଧ୍ୟ ଏହି ତାଲିକାରେ ରହିଛନ୍ତି।

Share