
ଚାନ୍ଦବାଲି,୪ା୪(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସିରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଗୋପାଳକମାନେ କ୍ଷୀର ଢାଳିଛନ୍ତି। ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଜାଣିଶୁଣି ନିମ୍ନମାନର ଦର୍ଶାଉଛନ୍ତି। ଫଳରେ ଚାଷୀ କ୍ଷୀର ଉଚିତ୍ ମୂଲ୍ୟ ପାଉ ନ ଥିବା ଅଭିଯୋଗ କରି ଏଭଳି ପ୍ରତିବାଦ କରିଛନ୍ତି।
ଅଭିଯୋଗ ମୁତାବକ, ସମବାୟ ସମିତି ପକ୍ଷରୁ ଲିଟର ପିଛା ମୂଲ୍ୟ ୩୦ରୁ ୩୨ ଟଙ୍କା ଦିଆଯାଉଛି, କିନ୍ତୁ ଏହି କ୍ଷୀର ବଜାରରେ ଓମ୍ଫେଡ ୫୪ ଟଙ୍କାରେ ବିକ୍ରି କରୁଛି। ଏଥିପାଇଁ ଚାଷୀମାନେ ବାରମ୍ବାର ସମିତି ନିକଟରେ ମୂଲ୍ୟ ବଢ଼ାଇବାକୁ ଦାବି କରିଥିଲେ ମଧ୍ୟ ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଧ ସମିତି ଗ୍ରହଣ କରୁନାହାନ୍ତି।
ଚାନ୍ଦବାଲି ଦୁଗ୍ଧ ଉତ୍ପାଦ କେନ୍ଦ୍ରର କର୍ମଚାରୀମାନେ ଦୁଗ୍ଧକୁ ଜାଣି ଶୁଣି ନିମ୍ନମାନର ଦର୍ଶାଉଛନ୍ତି। ବୁଧବାର ଚାଷୀଙ୍କର ପ୍ରାୟ ୧ ହଜାର ଲିଟରରୁ ଊର୍ଦ୍ଧ୍ୱ କ୍ଷୀରକୁ ମାନ ଖରାପ ଦର୍ଶାଇ ନାକଚ କରାଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ନିରାଶ ହୋଇ ରାସ୍ତାରେ ୧ହଜାର ଲିଟରରୁ ଊର୍ଦ୍ଧ୍ୱ କ୍ଷୀରକୁ ଢାଳିଛନ୍ତି। ଏ ନେଇ ଗୋପାଳକମାନେ ଚାନ୍ଦବାଲି ଥାନାରେ ଏକ ଏତଲା ଦେବା ସହିତ ସ୍ଥାନୀୟ ତହସିଲଦାରଙ୍କୁ ଏହାର ନକଲ ପ୍ରଦାନ କରିଛନ୍ତି।
ନ୍ୟାୟ ନ ମିଳବା ପର୍ଯ୍ୟନ୍ତ ବିଏମ୍ସିକୁ ତାଲା ପକାଇ ରଖିବୁ, ଯଦି ଜବରଦସ୍ତ କରାଗଲେ ଆତ୍ମହତ୍ୟା କରିବେ ବୋଲି ଗୋପାଳକ ଇନ୍ଦ୍ରମଣି ବାରିକ, ଗୌତମ ମହାନ୍ତି, ଭାରତ ଦାସ, ଲମ୍ବୋଦର ନାୟକ, କୁମାରଜିତ ମହାରଣା ପ୍ରମୁଖ ଚାଷୀ ଲିଖିତ ଦାବି ଚେତାବନୀ ଦେଇଛନ୍ତି।
ବିଏମ୍ସି ଭଦ୍ରକ ୟୁନିଟ ଇନ୍ଚାର୍ଜ ମଣିଭଦ୍ର ବେହେରା କହିଛନ୍ତି, ସରକାର ଦୁଗ୍ଧମାନ ସ୍ଥିର କରିଛନ୍ତି। ଏହି ମାନ ତଳକୁ କ୍ଷୀର ଗ୍ରହଣ କରାଯିବ ନାହିଁ ବୋଲି ସରକାର ସମସ୍ତ ମେମ୍ବରଙ୍କୁ ଚିଠି କରିଛନ୍ତି। ମାନ ପରୀକ୍ଷା ପରେ ୨ ସମିତିର ଅପମିଶ୍ରଣ କ୍ଷୀର ଫେରାଇ ଦେଇଥିଲୁ। ଅନ୍ୟ ୮ ସମିତି କ୍ଷୀର ଗ୍ରହଣ କରାଯାଇଛି। ଏ ନେଇ ବିଏମ୍ସି ପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି। ଚାଷୀଙ୍କୁ ଡାକି ଆଲୋଚନା କରାଯିବ ବୋଲି କହିଛନ୍ତି।