ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲା ଘସିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ। ହତ୍ୟା ପରେ ଅଭିଯୁକ୍ତ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଛନ୍ତି।
ସୂଚନା ଅନୁଯାୟୀ, ଗୁଣିଗାରେଡିକୁ ନେଇ ଉଭୟ ଭାଉଜ ସୀତା ମୁର୍ମୁ ଓ ଦିଅର ଗଙ୍ଗା ମୁର୍ମୁଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। କିଛି ଦିନ ତଳେ ଗଙ୍ଗାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହେବା ଓ ତାଙ୍କ ଛୁଆଙ୍କ ଦେହ ଖରାପ ହେଉଥିବାରୁ ସୀତା ଗୁଣିଗାରେଡି କରୁଥିବା ଗଙ୍ଗା ମନେ ମନେ ଭାବି ନେଇଥିଲେ। ସେ ସୀତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ କେହି ଘରେ ନ ଥିବା ବେଳେ ଗଙ୍ଗା ଟାଙ୍ଗିଆରେ ହାଣି ସୀତାଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଗଙ୍ଗା ଦୈତାରୀ ଥାନାରେ ଆତ୍ମସମର୍ପଣ କରିବା ପରେ ଖବରପାଇ ଘସିପୁରା ପୋଲିସ ପହଞ୍ଚି ଏକ ମାମଲା(ନଂ. ୩୫୨/୨୪) ରୁଜୁ କରି ମୃତଦେହକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସୁନୀଲ କୁମାର କର କହିଛନ୍ତି।

Share