Categories: ଖେଳ

ସାଇର ନୂଆ ଲୋଗୋ ଉନ୍ମୋଚନ କଲେ ରିଜିଜୁ

ନୂଆଦିଲ୍ଲୀ,୧।୧୦(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ସାଇ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ପ୍ରଥମଥର ପାଇଁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି।
ନୂଆ ଲୋଗୋରେ ସାଇ ଗାଢ଼ ଅକ୍ଷରରେ ଲେଖାଯାଇଛି। ଲୋଗୋର ବ୍ୟାକ୍‌ଗ୍ରାଉଣ୍ଡରେ ଜଣେ ଆଥଲେଟ୍‌ ସଫଳତା ପାଇବାକୁ ଉଡୁଥିବାର ଚିତ୍ର ରହିଛି। ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ଲୋଗୋ ଉନ୍ମୋଚିତ ହୋଇଥିଲା। ଏଥିରେ କ୍ରୀଡ଼ା ସଚିବ ରବି ମିତ୍ତଲ, ସାଇ ନିର୍ଦ୍ଦେଶକ ଜେନେରାଲ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବାତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବା ପରେ ସାଇର ଲୋଗୋ ପରିବର୍ତ୍ତନ କରିବାକୁ ରିଜିଜୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଅଧିକ ସରଳ ଓ ଅର୍ଥବୋଧକ କରିବାକୁ ପ୍ରୟାସ କରାଯାଇଛି। ନୂଆ ଲୋଗୋ ଛୋଟ ଓ ଅର୍ଥବୋଧକ ହୋଇଛି। ତେବେ ଏହାର ଲକ୍ଷ୍ୟ ବଡ଼ ବୋଲି ସେ କହିଛନ୍ତି। ଲୋଗୋ ହେଉଛି ଏକ ସଂସ୍ଥାର ପରିଚୟ। ଦୀର୍ଘ ବର୍ଷ ହେବ ସାଇ ଦେଶରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର କରିଆସୁଛି। କିନ୍ତୁ ଏହାର ଲୋଗୋ ବହୁତ ପୁରୁଣା ଓ ଅବ୍ୟବସ୍ଥିତ ହୋଇଯାଇଥିଲା। ନୂଆ ଲୋଗୋରେ ସାଇର ନାମ ଅଧିକ ଭଲଭାବେ ଦୃଶ୍ୟମାନ ହେଉଛି ବୋଲି ରିଜିଜୁ କହିଛନ୍ତି। ସେହିପରି ୨୦୨୮ ଲସ୍‌ ଏଞ୍ଜେଲସ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ ପାଇବ ବୋଲି ରିଜିଜୁ ତାଙ୍କ ବକ୍ତବ୍ୟକୁ ଦୋହରାଇଥିଲେ।

Share