କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ ଆର୍ଥିକ ବର୍ଷ ୨୦୨୦-୨୧ସମୟରେ କୌଣସି ଦରମା ନେଇ ନ ଥିବା ଜଣାପଡ଼ିଛି। ବୁଧବାର ପ୍ରକାଶ ପାଇଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ନଷ୍ଟ କରିଦେଇଥିବା ବେଳେ ଏଥିଯୋଗୁ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ହଲାଇଦେଇଛି। ଦେଶରେ ଜାରି ରହିଥିବା ସଙ୍କଟ ଯୋଗୁ ସବୁ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବାରୁ ବହୁ ଲୋକ ବେରୋଜଗାର ମଧ୍ୟ ହୋଇଯାଇଛନ୍ତି। ତେଣୁ ମୁକେଶ ଦରମା ନ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନିଜ ଅଂଶୀଦାରଙ୍କୁ କହିଛନ୍ତି। କିନ୍ତୁ କମ୍ପାନୀର ଅନ୍ୟ କର୍ମଚାରୀମାନେ ଠିକ୍‌ ସମୟରେ ନିଜର ବେତନ ଗ୍ରହଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ସଙ୍କଟ ବର୍ଷରେ ବି ମୁକେଶ ଆମ୍ବାନୀଙ୍କ କମ୍ପାନୀ ବହୁ ଲାଭରେ ଥିବା ବେଳେ ଆୟ ମଧ୍ୟ ବୃଦ୍ଧି ପାଇଛି। ସୂଚନା ମୁତାବକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଆୟ ହେଉଛି ୧୫ କୋଟି ଟଙ୍କା।

Share