ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସର୍ବଭାରତୀୟ ସ୍ତରରେ ନୀଳ ହାଇଡ୍ରୋଜେନ୍ର ସର୍ବବୃହତ୍ ଉତ୍ପାଦକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ବିଶ୍ୱର ସର୍ବବୃହତ୍ ତୈଳ ବିଶୋଧନ କମ୍ପ୍ଲେକ୍ସର ଅପରେଟର ଏକ ୩୦,୦୦୦ କୋଟି ଟଙ୍କାର ପ୍ଲାଣ୍ଟକୁ ପୁନଃ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ମିଳିଛି। ଏହା ବର୍ତ୍ତମାନ ପେଟ୍ରୋଲିୟମ କୋକ୍କୁ ସିନ୍ଥେସିସ୍ ଗ୍ୟାସ୍ରେ ପରିଣତକରି କିଲୋଗ୍ରାମରେ ୧.୨ରୁ ୧.୫ ଡଲାରରେ ନୀଳ ହାଇଡ୍ରୋଜେନ୍ ଉତ୍ପାଦନ କରିବ ବୋଲି ରିଲାଏନ୍ସ ପୃଥକ୍ ଯୋଜନା ବିଷୟରେ ଏକ ଉପସ୍ଥାପନାରେ ମତବ୍ୟକ୍ତ କରିଛି। ହାଇଡ୍ରୋଜେନ୍ ହେଉଛି ଇନ୍ଧନର ସବୁଠାରୁ ଶୁଦ୍ଧ ରୂପ। ଏହାର ଉତ୍ପାଦନ ପଦ୍ଧତି ଅନୁସାରେ ହାଇଡ୍ରୋଜେନ୍ ଧୂସର, ନୀଳ କିମ୍ବା ସବୁଜ ହୋଇପାରେ। ଧୂସର ହାଇଡ୍ରୋଜେନ୍ ହେଉଛି ସବୁଠାରୁ ସାଧାରଣ ରୂପ ଏବଂ ପ୍ରାକୃତିକ ବାଷ୍ପ କିମ୍ବା ମିଥେନ୍ରୁ ‘ବାଷ୍ପ ସଂସ୍କାର’ ନାମକ ଏକ ପ୍ରକ୍ରିୟା ମାଧ୍ୟମରେ ଏହା ଉତ୍ପନ୍ନ ହୁଏ। ଯେତେବେଳେ ବାଷ୍ପ ସଂସ୍କାରରୁ ଉତ୍ପନ୍ନ ଅଙ୍ଗାରକାମ୍ଳ ଧରାଯାଏ ଏବଂ ଗଚ୍ଛିତ ହୁଏ, ହାଇଡ୍ରୋଜେନ୍କୁ ନୀଳ ରଙ୍ଗ ଦିଆଯାଏ। ତେଣୁ ନୀଳ ହାଇଡ୍ରୋଜେନ୍ ବେଳେବେଳେ କାର୍ବନ ନିରପେକ୍ଷ ଭାବେ କୁହାଯାଏ, କାରଣ ବାୟୁମଣ୍ଡଳରେ ନିର୍ଗମନ ବିସ୍ତାର ହୋଇ ନ ଥାଏ। ସବୁଜ ହାଇଡ୍ରୋଜେନ୍କୁ ‘ପରିଷ୍କାର ହାଇଡ୍ରୋଜେନ୍’ ମଧ୍ୟ କୁହାଯାଏ। ନବୀକରଣଯୋଗ୍ୟ ଶକ୍ତି ଉତ୍ସରୁ ସୌର ଶକ୍ତି ବ୍ୟବହାରକରି ସୌର କିମ୍ବା ପବନ ଶକ୍ତି ଦ୍ୱାରା ଜଳକୁ ଦୁଇଟି ହାଇଡ୍ରୋଜେନ୍ ପରମାଣୁ ଏବଂ ଗୋଟିଏ ଅମ୍ଳଜାନ ପରମାଣୁକୁ ଇଲେକ୍ଟ୍ରୋଲାଇସିସ୍ ନାମକ ଏକ ପ୍ରକ୍ରିୟାରେ ବିଭକ୍ତ କରାଯାଏ।