Categories: ବାଣିଜ୍ୟ

ପଶ୍ଚିମବଙ୍ଗରେ ୨୦,୦୦୦ କୋଟି ନିବେଶ କରିବ ଆର୍‌ଆଇଏଲ୍‌

ଭୁବନେଶ୍ୱର,୨୨।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାଠାରେ ଆୟୋଜିତ ୭ମ ବେଙ୍ଗଲ ଗ୍ଲୋବାଲ ସମ୍ମିଟ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମବଙ୍ଗରେ ୨୦,୦୦୦କୋଟି ଟଙ୍କା ବିନିଯୋଗ କରିବା ନେଇ ଘୋଷଣା କରିଛନ୍ତି। ଉକ୍ତ ବିନିଯୋଗ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କରାଯିବ। ବିଶେଷକରି ରିଲାଏନ୍ସ ବଙ୍ଗ ବିକାଶରେ କୌଣସି ପଦ୍ଧତିକୁ ଛଡାଯିବ ନାହିଁ ବୋଲି ମୁକେଶ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଏପରିକି ଏପର୍ଯ୍ୟନ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପଶ୍ଚିମବଙ୍ଗରେ ପ୍ରାୟ ୪୫,୦୦୦ କୋଟି ଟଙ୍କା ବିନିଯୋଗ କରିସାରିିଛି। ଆସନ୍ତା ୩ ବର୍ଷରେ ଆର୍‌ଆଇଏଲ୍‌ ଅତିରିକ୍ତ ୨୦,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦,୦୦୦ କୋଟି ଟଙ୍କାର ଉକ୍ତ ବିନିଯୋଗ ରାଜ୍ୟର ଟେଲିକମ୍‌, ଖୁଚୁରା ଏବଂ ବାୟୋ ଶକ୍ତି କ୍ଷେତ୍ରରେ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଆମେ ରାଜ୍ୟର ପ୍ରତ୍ୟେକ କୋଣକୁ ୫ଜି ସେବା ପହଞ୍ଚାଇବା ସହ ଗ୍ରାମୀଣ ଅଞ୍ଚଳରେ ଜିଓ ଟୁ ୫ଜି ନେଟ୍‌ୱର୍କକୁ ସଶକ୍ତ କରାଉଛୁ। ଏପରିକି ପଶ୍ଚିମବଙ୍ଗର ଅଧିକାଂଶ ଭାଗରେ ଜିଓର ନେଟ୍‌ୱର୍କ ପହଞ୍ଚଛି। ରାଜ୍ୟର ୯୮.୮% ଏବଂ କୋଲକାତା ଟେଲିକମ୍‌ ସର୍କଲରେ ୧୦୦% ଜନସଂଖ୍ୟାକୁ ଜିଓର ନେଟ୍‌ଓ୍ବର୍କ ଯୋଡ଼ିପାରିଛି। ଜିଓର ଶକ୍ତିଶାଳୀ ନେଟ୍‌ୱର୍କ ପଶ୍ଚିମବଙ୍ଗରେ ରୋଜଗାର ସହ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ କୃଷିକୁ ବହୁ ପରିମାଣରେ ପ୍ରୋତ୍ସାହିତ କରିବ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିପରି ଏହି ୨ ଦିନିଆ ସମ୍ମିଟକୁ ଉଦ୍‌ବୋଧନ ଦେବା ସହିତ ପଶ୍ଚମିବଙ୍ଗରେ ଜୈବ ଇନ୍ଧନକୁ ତ୍ୱରାନ୍ବିତ କରିବା ସହ୍‌ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଯୋଜନା ଆଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିସ୍ତୃତ ଆଲୋକପାତ କରିଛନ୍ତି। ସେହିପରି ଉକ୍ତ ସର୍ବଭାରତୀୟ ବ୍ୟବସାୟ ସମ୍ମିଳନୀରେ ଭାରତବର୍ଷର ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ,ଆଦାନୀ, ପିଡବ୍ଲ୍ୟୁସି, ଫିକି, ଡେଲଏଟ ଭଳି ଅନେକ ଜଣାଶୁଣା ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ କମ୍ପାନୀଗୁଡିକ ଉକ୍ତ ସମ୍ମିଟରେ ସାମିଲ ହୋଇ ନିବେଶ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Share