Categories: ଖେଳ

ବହୁତ କଠିନ ସମୟ ଥିଲା, ବାପା ୨-୩ ଦିନ ଭୋକରେ ଥିଲେ: ରିଙ୍କୁ

ମୁମ୍ବାଇ,୨୦।୫: ଶେଷ ମ୍ୟାଚ୍‌ରେ ନିଜର ଦମ୍‌ଦାର ବ୍ୟାଟିଂକୁ ନେଇ ଚର୍ଚ୍ଚାରେ କୋଲକାତା ନାଇଟ୍‌ ରାଇଡର୍ସର ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ। ମାତ୍ର ୧୫ ବଲ୍‌ରେ ୪୦ ରନ୍‌ର ଇନିଂସ ଖେଳି ସେ ହଲଚଲ ସୃଷ୍ଟି କରିଛନ୍ତି। ତେବେ କ୍ରିକେଟରେ ତାଙ୍କ ଯାତ୍ରା ସେତେଟା ସହଜ ନ ଥିଲା। ଘରୋଇ କ୍ରିକେଟରେ ସେ ଉତ୍ତରପ୍ରଦେଶରୁ ଖେଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବା ପରେ ଧିରେ ଧିରେ ସଫଳତାର ସିଡି ଚଢ଼ିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁଙ୍କ କ୍ୟାରିୟର ଲାଗି ବିଗତ ୫ ବର୍ଷ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ସେ ଆହତ ହୋଇଥିଲେ ହେଁ ଆତ୍ମବିଶ୍ୱାସ ହରାଇ ନ ଥିଲେ। ହେଲେ ପୁଅଙ୍କ ବିଷୟରେ ଜାଣି ତାଙ୍କ ବାପା ୨-୩ ଦିନି ଯାଏ କିଛି ଖାଇ ନ ଥିଲେ।

କ୍ୟାରିୟର ଅଧାରୁ ଆହତ ସମସ୍ୟା ନେଇ ସେ କହିଛନ୍ତି, କ୍ରିକେଟରେ ବହୁତ ପରିଶ୍ରମ କରିଛି। ହେଲେ ଗତ ବର୍ଷ ବହୁତ କଠିନ ଥିଲା। ବିଜୟ ହଜାରେ ଟ୍ରଫି ସମୟରେ ରନ୍‌ ନେଉଥିବା ବେଳେ ଆଣ୍ଠୁରେ ଆଘାତ ଲାଗିଲା। ମୋତେ ଅପରେଶନ କରିବା ଆବଶ୍ୟକ ପଡ଼ିଥିଲା। ସେଥିରୁ ସୁସ୍ଥ ହେବାକୁ ୬-୭ ମାସ ସମୟର ଆବଶ୍ୟକତା ଥିଲା। ଦୀର୍ଘଦିନ ଧରି କ୍ରିକେଟରୁ ଦୂରେଇ ଯାଇ ଖୁସି ନ ଥିଲି। ଘରେ ଏକୁଟିଆ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଆହତ ହେବା ଯୋଗୁ ପରିବାରଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ମୋ ବାପା ୨-୩ ଦିନ ଯାଏ ଖାଇ ନ ଥିଲେ। ସେତେବେଳେ ଆହତ ସମସ୍ୟା କ୍ରିକେଟର ଅଂଶ ବୋଲି ତାଙ୍କୁ ବୁଝାଇଥିବା ସେ କହିଛନ୍ତି।

Share