ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସରେ ଅଶାନ୍ତି

ପ୍ୟାରିସ,୨୯ା୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସ୍‌ରେ ହିଂସା ଦେଖାଦେଇଛି। ଗୁଳି ବିନିମୟ ପରେ ପ୍ୟାରିସରେ ଅଶାନ୍ତି ଜାରି ରହିଛି।

ପ୍ୟାରିସରେ ନାହେଲ ଏମ୍‌ ନାମକ ଜଣେ ନାବାଳକ ଟ୍ରାଫିକ ପୋଲିସ ସମ୍ମୁଖରେ ମଙ୍ଗଳବାର  କାର୍‌ ଅଟକାଇବାକୁ ମନା କରିଦେଇଥିଲେ। ଏହା ପରେ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଏହି ଘଟଣାର ଖବର ବ୍ୟାପିବା ମାତ୍ରେ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହାକୁ ନେଇ ସହରରେ ହିଂସା ଦେଖାଦେଇଛି।

ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି, ବୁଧବାର କାରଗୁଡ଼ିକରେ ନିଆଁ ଲଗାଇ ଦିଆଯାଉଛି। ପ୍ୟାରିସରେ ହିଂସା ବ୍ୟାପିବା ପରଠାରୁ ପୋଲିସ ଏପର୍ଯ୍ୟନ୍ତ ୧୫୦ ଜଣଙ୍କୁ ଗିରଫ କରିସାରିଲାଣି। ପୋଲିସ କହିଛି, ଏହି ଲୋକମାନେ ସରକାରୀ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

Share