କାହିଁକି ପୁଳା ପୁଳା ସୁନା ପିନ୍ଧୁଥିଲେ ବାପି ଦା’

ବଲିଉଡ୍‌ର ପ୍ରଖ୍ୟାତ ସଜ୍ଞୀତଜ୍ଞ ବାପି ଲାହିରିଙ୍କ ପରଲୋକ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ସଙ୍ଗୀତ ଶିଳ୍ପ ପାଇଁ ଏକ ବଡ଼ କ୍ଷତି । ୭୦ରୁ ୮୦ ଦଶକରେ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ। ନିଜ ଡିସ୍କୋ ମ୍ୟୁଜିକ ଜରିଆରେ ପୂରା ସଙ୍ଗୀତ ଜଗତକୁ ଦୋହଲାଇ ଦେଇଥିଲେ। ସେ ଅନେକ ଚଳଚ୍ଚିତ୍ରରେ ତାଙ୍କର ସଙ୍ଗୀତ ଦେଇଥିଲେ। ତାଙ୍କର ଅନେକ ଗୀତ ଏବେବି ଲୋକଙ୍କ ଓଠରେ ରହିଥାଏ। ଗୀତ ବ୍ୟତୀତ ବାପି ଦା’ ତାଙ୍କ ବ୍ୟକ୍ତିତ୍ୱ ହେତୁ ଚର୍ଚ୍ଚାରେ ରହିଆସୁଥିଲେ। ସୁନା ପିନ୍ଧିବା ତାଙ୍କର ଆଉ ଏକ ପରିଚୟ ଥିଲା। ସେ ନିଜେ କହୁଥିଲେ ‘ସୁନା ମୋର ଭଗବାନ’। ଏତେ ସୁନା ପିନ୍ଧିବା ପଛରେ କାରଣ ମଧ୍ୟ ଥିଲା।
ସୁନା ପିନ୍ଧିବା ପଛରେ କାରଣ ବିଷୟରେ ବାପି ଦା’ ଏକ ସାକ୍ଷାତକାରରେ କହିଥିଲେ, ଆମେରିକାର ପପ ଷ୍ଟାର୍‌ ଏଲଭିସ ପ୍ରେସ୍ଲି ତାଙ୍କୁ ବହୁତ ପ୍ରଭାବିତ କରିଛନ୍ତି । ତାଙ୍କ ସଙ୍ଗୀତ କନସର୍ଟ ସମୟରେ ଏଲଭିସ ଏକ ସୁନା ଚେନ ପିନ୍ଧୁଥିଲେ। ତଙ୍କୁ ଦେଖି ମୁଁ ମଧ୍ୟ ନିଜକୁ ଏହିପରି ରଖିବାକୁ ସ୍ଥିର କଲି। ୨୦୧୪ରେ ବାପି ଲାହିରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ସମୟରେ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ରୂପା ଥିବା ସେ ପ୍ରମାଣପତ୍ରରେ କହିଥିଲେ।
୨୦୨୧ ମସିହାରେ ଧନ୍‌ତରାସରେ ତାଙ୍କ ସ୍ତ୍ରୀ ତାଙ୍କୁ ଏକ ସୁନା ଚା’ କପ୍‌ ଉପହାର ଦେଇଥିଲେ। ଏଥିରୁ ଜଣାପଡେ ବାପି ଲାହିରି ସୁନାକୁ କେତେ ଭଲ ପାଉଥିଲେ।

Share