ଦ୍ରୁତ ଗାଡି ଚାଳନା ଯୋଗୁ ହୋଇନାହିଁ ପନ୍ତଙ୍କ ଦୁର୍ଘଟଣା: ଧାମି

ଡେରାଡୁନ,୧ ।୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ସଡ଼କ ଦୁର୍ଘଟଣା ହେବା ପରଠାରୁ ଏହି ଦୁର୍ଘଟଣାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଛି । ହେଲେ ଏବେ ଏହାର ଅସଲ କାରଣ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ରବିବାର ସକାଳେ ଅର୍ଥାତ୍ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଧାମି ମ୍ୟାକ୍ସ ହସ୍ପିଟାଲରେ ପହଞ୍ଚି ପନ୍ତଙ୍କ ସହ ସାକ୍ଷାତ୍ କରି ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏହି ସମୟରେ ସେ ସଡ଼କ ଦୁର୍ଘଟଣାର କାରଣକୁ ନେଇ ବି କଥା ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଏହି ଘଟଣାକୁ ନେଇ ସେ ପନ୍ତଙ୍କ ମାଆଙ୍କ ସହ କଥା ହୋଇଥିଲେ । ସେ କହିଲେ କି ଖାଲ ବା ପଟହୋଲରୁ ବଞ୍ଚିବାକୁ ଯାଇ ସେ ଦୁର୍ଘଟଣାର ଶିକାର ହେଲେ । ଯାହା ବି ହେଉ ପୂର୍ବାପେକ୍ଷା ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ରହିଛି । ଡାକ୍ତର ଓ ବିସିସିଆଇର ଲୋକେ ଲଗାତାର ତାଙ୍କ ସମ୍ପର୍କରେ ରହିଛନ୍ତି । ପନ୍ତଙ୍କ ପରିବାର ବି ତାଙ୍କ ଚିକିତ୍ସାକୁ ନେଇ ସନ୍ତୁଷ୍ଟ ଅଛନ୍ତି । ମୁଖ୍ୟମନ୍ତ୍ରୀ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ, ୩୦ ଡିସେମ୍ବର ୨୦୨୨ରେ ପନ୍ତ ସକାଳ ପ୍ରାୟ ୫ଟା ୩୦ରେ ଦିଲ୍ଲୀରୁ ତାଙ୍କ ମାଆଙ୍କୁ ସରପ୍ରାଇଜ ଦେବାକୁ ରୁଡକି ଫେରିବା ସମୟରେ ଏକ ବଡ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ତାଙ୍କ ମୁଣ୍ଡ, ପିଠି ଓ ଗୋଡରେ ଗଭିର ଆଘାତ ଲାଗିଛି ।

Share