Categories: ଖେଳ

୭୨ ବର୍ଷର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ୍‌, ୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରି ରିଷଭ ପନ୍ତ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୫୭ ରନରେ ଆଉଟ୍‌ ହୋଇଥିଲେ। ଏହି ଇନିଂସ ସହିତ ସେ ୭୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ। ଇଂଲଣ୍ଡରେ  ଗୋଟିଏ ଟେଷ୍ଟରେ ଉଭୟ ଇନିଂସ ମିଶି ସର୍ବାଧିକ ରନ୍‌ କରିବାରେ ପନ୍ତ ପ୍ରଥମ ଉଇକେଟ କିପର ବ୍ୟାଟ୍ସମ୍ୟାନ ହୋଇଛନ୍ତି।
ପନ୍ତ ଉଭୟ ପର୍ଯ୍ୟନ୍ତ ଉଭୟ ଇନିଂସକୁ ମିଶାଇ ଏଜବାଷ୍ଟନ ଟେଷ୍ଟରେ ୨୦୩ ରନ ସଂଗ୍ରହ କରିଛନ୍ତି। ସେ ପ୍ରଥମ ଇନିଂସରେ ୧୪୬ ରନ ସ୍କୋର କରିଥିଲେ। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ଲାଇଡ ୱାଲକଟ ଇଂଲଣ୍ଡରେ ଚାଲିଥିବା ଟେଷ୍ଟର ଉଭୟ ଇନିଂସରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ରଖିଥିଲେ। ୱାଲକଟ ୧୯୫୦ ମସିହାରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ୧୮୨ ରନ ସ୍କୋର କରିଥିଲେ। ୱାଲକୋଟ ପ୍ରଥମ ଇନିଂସରେ ୧୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୬୮ ରନ କରିନଥିଲେ। ପନ୍ତ ବର୍ତ୍ତମାନ ୱାଲକୋଟକୁ ପଛରେ ପକାଇଛନ୍ତିି। ଏହା ବ୍ୟତୀତ ପନ୍ତ ମଧ୍ୟ ଏସିଆ ବାହାରେ ଗୋଟିଏ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ବିଜୟ ମଞ୍ଜରେକରଙ୍କ ନାମରେ ଥିଲା। ସେ ୧୯୫୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟରେ ୧୬୧ ରନ (ଉଭୟ ଇନିଂସ) ସ୍କୋର କରିଥିଲେ।
ବିଜୟ ମଞ୍ଜରେକରଙ୍କ ଏହି ରେକର୍ଡ ୬୯ ବର୍ଷ ପରେ ଭାଙ୍ଗି ଯାଇଛି। ଏହା ବ୍ୟତୀତ ପନ୍ତ ଧୋନୀଙ୍କ ୧୧ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଧୋନୀ ଇଂଲଣ୍ଡରେ ହୋଇଥିବା ଗୋଟିଏ ଟେଷ୍ଟରେ ସର୍ବାଧିକ ୧୫୧ ରନ ସ୍କୋର କରିଥିଲେ। ୨୦୧୧ରେ ବର୍ମିଂହାମରେ ସେ ପ୍ରଥମ ଇନିଂସରେ ୭୭ ରନ ଏବଂ ଦ୍ୱିତୀୟ ଇନିଂସରେ ୭୪ ରନ ସଂଗ୍ରହ କରିଥିଲେ। ଉଭୟ ଇନିଂସକୁ ମିଶାଇ ଯେକୌଣସି ଗୋଟିଏ ଟେଷ୍ଟରେ ସର୍ବାଧିକ ରନ ସ୍କୋର କରିବା ରେକର୍ଡ ଜିମ୍ବାୱେର ଆଣ୍ଡି ଫ୍ଲାଓ୍ବାରଙ୍କ ନାମରେ ଅଛି। ୨୦୦୧ରେ ଫ୍ଲାଓ୍ବାର ମୋଟ ୩୪୧ ରନ ସ୍କୋର କରିଥିଲେ। ପ୍ରଥମ ଇନିଂସରେ ୧୪୨ରନ ଏବଂ ଦ୍ୱିତୀୟ ଇନିଂସରେ ୧୯୯ ରନ ଥିଲା।

Share